ଡାକ୍ତରଖାନାରୁ ନିରାଶ ପରିବାର କରାଇଲେ ଚେଙ୍କ ଚିକିତ୍ସା, ତଥାପି ବଞ୍ଚିଲାନି ୪ମାସ ଶିଶୁ ପୁତ୍ରର ଜୀବନ

Published By : Prameya-News7 Bureau | April 02, 2021 IST

ନବରଙ୍ଗପୁର ୨।୪: ଶିଶୁ ପୁତ୍ରକୁ ବଞ୍ଚାଇବା ପାଇଁ କଲେ ଚେଙ୍କ ଚିକିତ୍ସା । ହେଲେ ବି ବଞ୍ଚିଲାନି ନିଷ୍ପାପ ଶିଶୁର ଜୀବନ । ୪ ମାସର ଶିଶୁ ପୁତ୍ର ଅସୁସ୍ଥ ହେବା ପରେ ପ୍ରଥମେ ତେନ୍ତୁଳିଖୁଣ୍ଟି ଓ ପରେ ନବରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା କରାଇଲେ, ତଥାପି ଶିଶୁ ପୁତ୍ରର ସ୍ବାସ୍ଥ୍ୟରେ ସୁଧାର ନହେବାରୁ ପରିବାର ଲୋକ ବାଧ୍ୟ ହୋଇ ଶିଶୁର ପେଟରେ ଚେଙ୍କ ଦେଲେ । ହେଲେ ବଞ୍ଚିଲାନି ନିଷ୍ପାପ ଶିଶୁର ଜୀବନ। ଏଭଳି ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ବ୍ଲକ୍ ଲକିଗୁଡା ଗାଁରେ।

ସୂଚନା ଅନୁସାରେ ଲକିଗୁଡା ଗାଁର ତ୍ରିନାଥ ନାୟକ ଓ ଡମୁଣି ନାୟକଙ୍କ ୪ ମାସର ଶିଶୁ ପୁତ୍ରର ଦେହ ଅସୁସ୍ଥ ହୋଇପଡିଥିଲା । ଶିଶୁଟି ଅନବରତ କାନ୍ଦୁଥିଲା । ଫଳରେ ପରିବାର ଲୋକ ପ୍ରଥମେ ନିକଟସ୍ଥ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ଶିଶୁ ରୋଗ ବିଶେଷଜ୍ଞ ଔଷଧ ଦେବାପରେ ଶିଶୁର କାନ୍ଦ ବନ୍ଦ ହୋଇଥିଲା । ଶିଶୁଟି ଅରୋଗ୍ୟ ହୋଇଥିଲା। ଏହାର କିଛି ଦିନ ପରେ ଶିଶୁଟି ପୁଣି ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଏହିଭଳି ଦୁଇ ମାସରେ ୩ ଥର ଶିଶୁକୁ ଧରି ନବରଙ୍ଗପୁର ମେଡ଼ିକାଲ ଆଣିଥିଲେ ପରିବାର ଲୋକେ।  ଶିଶୁ ପୁତ୍ରର ସ୍ବାସ୍ଥ୍ୟରେ ଉନ୍ନତି ନଆସିବାରୁ ବାଧ୍ୟ ହୋଇ ପରିବାର ଲୋକ ଶିଶୁର ପେଟ ଓ ଛାତିରେ ଚେଙ୍କ ଚିକିତ୍ସା କରିଥିଲେ । ୨୦ରୁ ଉର୍ଦ୍ଧ୍ବ ଥର ଚେଙ୍କ ଦିଆଯାଇଥିଲା । ଶିଶୁକୁ ଚେଙ୍କ ଚିକିତ୍ସା ପରେ ବି ଥରେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ଅସୁସ୍ଥ ଶିଶୁକୁ ଆଣିଥିଲେ। ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିନଥିଲା ।

ଏହାପରେ ଶିଶୁକୁ ନେଇ ଘରକୁ ଚାଲିଯାଇଥିଲେ ପରିବାର। ଗୁରୁବାର ଶିଶୁର ଅବସ୍ଥା ଗୁରୁତର ହେବାରୁ ତେନ୍ତୁଳିଖୁଣ୍ଟି ମେଡ଼ିକାଲ ନେଇଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।  ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୧ ପ୍ରକାର ପରୀକ୍ଷାର ବ୍ୟବସ୍ଥା ରହିଥିବା କୁହାଯାଉଥିଲେ ମଧ୍ୟ ଶିଶୁର ରୋଗ ନିରୁପଣ ହୋଇନପାରିବା ଫଳରେ ପରିବାର ଲୋକ ନିରାଶ ହୋଇ ଶେଷରେ ଚେଙ୍କ ଚିକିତ୍ସା କରିଥିଲେ । ହେଲେ ବି ଚାଲିଗଲା ଜୀବନ ଜୀବନ ।  ଶିଶୁକୁ ଚିକିତ୍ସା କରିଥିବା ଡାକ୍ତର ଶିଶୁକୁ ଚେଙ୍କ ଦିଆଯାଇଥିବା କହିଥିଲେ ମଧ୍ୟ ଶିଶୁକୁ ଚେଙ୍କ ଦିଆଯିବା ଘଟଣାକୁ ପରିବାର ପକ୍ଷରୁ ଅସ୍ବୀକାର କରିବା ସହ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.