ଧରାପଡିଲେ ୪ ଜଣିଆ ଲୁଟେରା ଗ୍ୟାଙ୍ଗ୍, ୩ ଲକ୍ଷରୁ ଅଧିକ ଟଙ୍କାର ଚୋରି ସାମଗ୍ରୀ ଜବତ

Published By : Prameya-News7 Bureau | December 26, 2020 IST

ଭଦ୍ରକ ୨୬।୧୨: ଭଦ୍ରକରେ ଗାଁ ଗାଁ ବୁଲି ଲୁଟ୍ କରୁଥିଲେ । ରାତି ସମୟରେ ଟାର୍ଗେଟ୍ କରୁଥିଲେ ମେଡିକାଲ ଓ ପଞ୍ଚାୟତ ଅଫିସ୍ । କେହି ନଥିବାର ସୁଯୋଗ ନେଇ ଗ୍ୟାସ୍ କଟରରେ କାଟି ଲୁଟୁ ଥିଲେ ସାମଗ୍ରୀ । ଏମିତି ଏକ ଗ୍ୟାଙ୍ଗକୁ ଧରିଛି ଭଦ୍ରକ ଜିଲ୍ଲା ଧୂଷୁରୀ ପୋଲିସ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ହସନାବାଦ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ଓ ଓଲଡିଂ ଦୋକାନରୁ ଲୁଟ୍ ହୋଇଥିଲା । ଏନେଇ ଧୂଷୁରୀ ଥାନାରେ ମାମଲା ରୁଜୁ ହେଲା । ସେହିପରି ଅନ୍ୟ ଏକ ଲୁଟ୍ ଘଟଣାରେ ମାମଲା ରୁଜୁ ହୋଇଥିଲା । ଏହାପରେ ଧୂଷୁରୀ ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା । ପ୍ରଥମେ ହସନାବାଦରୁ ୨ ଜଣଙ୍କୁ ଧରିବା ପରେ ଅନ୍ୟମାନଙ୍କୁ ଖୋଜିଥିଲା ପୋଲିସ । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ଗ୍ୟାଙ୍ଗ୍ ଲିଡ଼ରକୁ ଭୁବନେଶ୍ବରରୁ କାବୁ କରିଥିଲା । ସମସ୍ତେ ଗୋଟିଏ ଗ୍ୟାଙ୍ଗର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ୩ଲକ୍ଷରୁ ଅଧିକ ମୂଲ୍ୟର ଚୋରି ସାମଗ୍ରୀ ଜବତ ହୋଇଛି ।

ଲୁଟେରାମାନେ ଅନ୍ୟ କେଉଁ କେଉଁ ଲୁଟରେ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବାରୁ ଅଧିକ ସୂଚନା ଦେଇନାହିଁ ପୋଲିସ । ମୁଖ୍ୟ ଅଭିଯୁକ୍ତ ବିହାର ରାଜ୍ୟର ସମସ୍ତିପୁର ଜିଲ୍ଲା ତାଜପୁର ଥାନାର ମରିଚା ଗାଁର ମହମ୍ମଦ ଅହମ୍ମଦ ଜୁନୁ, ହସନାବାଦର ଜନ୍ମେଜୟ ମଲ୍ଲିକ, ଦେବଶିଷ ତ୍ରିପାଠୀ, ଅମୂଲ୍ୟ ସେଠୀଙ୍କୁ ଗିରଫ କରିଛି ପୋଲିସ । ମେଡିକାଲର ୨୨୩ ନମ୍ବର କେସରେ ୩ ବ୍ୟାଟେରୀ, ଆକ୍ବାଗାର୍ଡ  ଓଲଡିଂ ଦୋକାନରୁ ଲୁଟ୍ ହୋଇଥିବା ମେସିନ, ୨୬୦ନମ୍ବର କେସରେ ପଞ୍ଚାୟତରୁ ଲୁଟ୍ ହୋଇଥିବା କମ୍ପ୍ୟୁଟର, ପ୍ରିଣ୍ଟର, ବ୍ୟାଟେରୀ, ଇନଭର୍ଟର, ମୋଟର, ଆକ୍ଵାଗାର୍ଡ, ଫ୍ୟାନ୍, ବେଡ଼କୁ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.