୨ଟି ପୃଥକ ଡକାୟତି ଘଟଣାରେ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କଲା ଝାରସୁଗୁଡା ପୋଲିସ

Published By : Prameya-News7 Bureau | November 15, 2018 IST

ଝାରସୁଗୁଡା ୧୫|୧୧:  ଝାରସୁଗୁଡା ଜିଲ୍ଲାରେ ଗତ ଦୁଇମାସ ମଧ୍ୟରେ ୨ଟି ପୃଥକ ଡକାୟତି ଘଟଣାରେ ସଂପୃକ୍ତ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ପୋଲିସ ଗିରଫ କରିଛି | ଗିରଫ ଡକାୟତମାନଙ୍କ ମଧ୍ୟରେ ଜଣେ ଝାଡଖଣ୍ଡ ପିଏଲଏଫଆଇ ନକ୍ସଲ ସଂଗଠନର ସଦସ୍ୟ ଆନନ୍ଦ ସୋରେଙ୍ଗ । ଅନ୍ୟ ୩ ଜଣଙ୍କ ନାଁରେ ବହୁ ଡକାୟତି ଓ ହତ୍ୟା ମାମଲା ରହିଛି । ସେମାନେ ହେଲେ ରାଉରକେଲାର ଦୁର୍ଦ୍ଦାନ୍ତ ଅପରାଧୀ ବିନୟ ଗୁରୁ, ଅନ୍ୟ ଜଣେ ମାଷ୍ଟରମାଇଣ୍ଡ ରାହୁଲ ସାହୁ ଏବଂ ସହଯୋଗୀ ଡେଭିଡ | ଗତ ଜୁଲାଇ ମାସରେ ଲଇକେରା ଥାନା ବାଗଡିହିରେ ଜଣେ ପେଟ୍ରୋଲ ପମ୍ପ୍ ମାଲିକଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ଲୁଟ୍ ଘଟଣା ସହ ଗତ ମାସ ୯ ତାରିଖରେ ଝାରସୁଗୁଡା ସହରର ଜଣେ ବ୍ୟବସାୟୀ ବିଜୟ ଝୁନଝୁନୱାଲାଙ୍କ ଘରେ ବନ୍ଧୁକ ଦେଖାଇ କଳାକନା ବୁଲାଇ ଫେରାର୍ ହୋଇଯାଇଥିଲେ | ପୋଲିସ ଝାଡଖଣ୍ଡର ସିମଡେଗା, ରାଜଗାଙ୍ଗପୁର, ରାଉରକେଲା ଆଦି ଅଞ୍ଚଳରେ ଚଢାଉ କରି ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ୯ଏମ୍ ଏମ୍ ପିସ୍ତଲ, ଗୋଟିଏ ୭.୬ ଏମ୍ ଏମ୍ ପିସ୍ତଲ ସହ ୭ଟି ଜୀବନ୍ତ ଗୁଳି, ନଗଦ ୨୦ହଜାର ଟଙ୍କା ଜବତ କରିଛି | ମାଷ୍ଟରମାଇଣ୍ଡ ଝାଡଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଖାନ୍ ଓ ଅନ୍ୟ ଜଣେ ଅପରାଧୀ ଫେରାର୍ ଅଛନ୍ତି | ଏମାନେ ଏକ ଗ୍ୟାଙ୍ଗ୍ କରି ବିଭିନ୍ନ ସ୍ଥାନକୁ ଗସ୍ତ କରି ବ୍ୟବସାୟୀମାନଙ୍କୁ ଟାର୍ଗେଟ୍ କଲା ପରେ ସେମାନଙ୍କ ଘରୁ ଡକାୟତି କରନ୍ତି ବୋଲି ପୋଲିସ କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.