ISROର ମିଶନ ଗଗନଯାନ ପ୍ରସ୍ତୁତି, ରୁଷରେ ପୁଣି ଥରେ ପ୍ରଶିକ୍ଷଣ ଆରମ୍ଭ କଲେ ଚାରି ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ

Published By : Prameya-News7 Bureau | May 23, 2020 IST

ବେଙ୍ଗାଲୁରୁ ୨୩।୦୫: ଭାରତର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ଅଭିଯାନ ଗଗନଯାନ ପାଇଁ ଚୟନ ହୋଇଥିବା ଚାରି ଭାରତୀୟ ମହାକାଶ ଯାତ୍ରୀ ରୁଷରେ ପୁଣି ଥରେ ପ୍ରଶିକ୍ଷଣ ଆରମ୍ଭ କରି ଦେଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ସେମାନଙ୍କ ପ୍ରଶିକ୍ଷଣ ରୋକି ଦିଆଯାଇଥିଲା।

ରୁଷ ଅନ୍ତରୀକ୍ଷ ନିଗମ ରସ୍କୋସ୍ମୋସ୍‌ ଏକ ବୟାନରେ କହିଛି ଯେ, ଗାଗାରିନ ରିସର୍ଚ୍ଚ ଆଣ୍ଡ ଟେଷ୍ଟ କସ୍ମୋନାଟ୍ ଟ୍ରେନିଂ ସେଣ୍ଟର(ଜିସିଟିସି) ମେ ୧୨ରେ ଗ୍ଲାକାସ୍ମୋସ୍, ଜେଏସପି ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ର ମାନବ ଅନ୍ତରୀକ୍ଷ ଯାନ କେନ୍ଦ୍ର ମଧ୍ୟରେ ହୋଇଥିବା ଅନୁବନ୍ଧ ଆଧାରରେ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ପ୍ରଶିକ୍ଷଣ ପୁଣି ଥରେ ଆରମ୍ଭ ହୋଇ ଯାଇଛି।

ସମସ୍ତ ଚାରି ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ସୁସ୍ଥ ଅଛନ୍ତି। ଜିସିଟିସିରେ ମହାମାରୀରୁ ବଞ୍ଚିବା ପାଇଁ ସବୁ ନିୟମର ପାଳନ କରାଯାଉଛି। ସମସ୍ତ ଜିସିଟିସି ସୁବିଧା ଉପରେ ସ୍ଵଚ୍ଛତାକୁ ଅଗ୍ରାଧିକାର ଦିଆଯାଇଛି। ସାମାଜିକ  ଦୂରତା ନିୟମ ପାଳନ କରାଯାଉଛି। ଅନାଧିକୃତ ବ୍ୟକ୍ତିଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ରହିଛି। ଏହା ସହିତ ସମସ୍ତ କର୍ମଚାରୀ ଓ ଅନ୍ତରୀକ୍ଷ ଯାତ୍ରୀଙ୍କୁ ମାସ୍କ ଓ ଗ୍ଲୋଭ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତଙ୍କୁ ରୁଟିନ୍‌ ଅନୁସାରେ ପ୍ରଶିକ୍ଷଣ ଦିଆଯାଉଛି।

ଗଗନଯାନ ବିଷୟରେ…

୨୦୧୮ ଅଗଷ୍ଟ ୧୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଭାଷଣରେ ଗଗନଯାନ ମିଶନ ଜରିଆରେ ୨୦୨୨ରେ କିମ୍ବା ଏହା ପୂର୍ବରୁ ମହାକାଶକୁ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ପଠାଇବାକୁ ଘୋଷଣା କରିଥିଲେ। ଲାଲକିଲ୍ଲା ପ୍ରାଚୀରରୁ ସେ କହିଥିଲେ, ଯେବେ ଭାରତ ୨୦୨୨ରେ ସ୍ଵାଧୀନତାର ୭୫ତମ ବର୍ଷ ପାଳନ କରୁଥିବ, ସେତେବେଳେ ଭାରତ ମାର କେହି ଜଣେ ପୁଅ କି ଝିଅ ତ୍ରିରଙ୍ଗା ନେଇ ଅନ୍ତରୀକ୍ଷ ପ୍ରସ୍ତାନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.