ଦୀର୍ଘଦିନ ଧରି ଚାଲିଥିବା ଚୋରା କାରବାରର ପର୍ଦ୍ଦାଫାଶ, ସ୍ଥାନୀୟ ପ୍ରଶାସନର ଚଢାଉରେ ୪ ହାଇଓ୍ୱା ଜବତ
18/07/2020 at 3:46 PM

ନିଶ୍ଚିନ୍ତକୋଇଲି ୧୮।୦୭: ଧରାପଡିଲା ଚୋରା କରାବାର । ଦୀର୍ଘଦିନ ଧରି ଚାଲୁଥିବା ଚୋରା ଗୋଡ଼ି, ବାଲି, ପଥର ଓ ମୋରମ କାରବାର ଠାବ ହୋଇଛି । ମାହାଙ୍ଗା ଥାନା ତହସିଲ ଓ ଜିଲ୍ଲା ଏନ୍ଫର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରି ଚାରୋଟି ହାଇଓ୍ୱା ଜବତ କରିଛି । ବିନା କାଗଜ ପତ୍ରରେ ଦୀର୍ଘ ଦିନ ହେଲା ଚାଲିଥିଲା ଚୋରା କାରବାର ।

ସୂଚନାଯୋଗ୍ୟ ଯେ, ଆବଶ୍ୟକୀୟ କାଗଜପତ୍ର ନଥାଇ ମାହାଙ୍ଗା ତହସିଲ ଅଂଚଳରେ ଅବାଧରେ ଚାଲିଛି ଗୋଡି, ବାଲି ଏବଂ ପଥର ଠାରୁ ମୋରମର ଚୋରା କାରବାର l ଗତକାଲି ବିଳମ୍ବିତ ରାତିରେ କୌଡୁକୋଲ ଅଞ୍ଚଳରୁ ମାହାଙ୍ଗା ତହସିଲ ଓ ଜିଲ୍ଲା ଏନ୍ଫର୍ସମେଣ୍ଟ ସ୍କ୍ୱାର୍ଡ଼ଙ୍କ ମିଳିତ ଭାବେ ଚଢ଼ାଉ କରିଥିଲା । ଚଢାଉରେ ଚାରୋଟି ହାଇଓ୍ୱା ଗାଡି ଜବତ ହୋଇଛି l ଜବତ ହୋଇଥିବା ଗାଡି ଗୁଡିକ ବେଆଇନ ଭାବେ ମେଣ୍ଟାଲ, ଚିପ୍ସ, ବାଲି ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଚାଲାଣ ପାଇଁ ବ୍ୟବହୃତ ହେଉଥିଲା l

ଅତିରିକ୍ତ ତହସିଲଦାର ଦିଲୀପ ନାୟକ ଘଟଣାସ୍ଥଳରେ ପହଞ୍ଚି ବିନା କାଗଜ ପତ୍ରରେ କିପରି ଲକ୍ଡାଉନ୍ ସତ୍ୱେ ଚୋରାରେ ଏସବୁ କାର୍ଯ୍ୟ ଚାଲିଛି । ତାହାର ଯାଞ୍ଚ କରିବା ସହ ଜବତ ଗାଡି ଗୁଡିକୁ ତହସିଲ ପରିସରକୁ ନିଆଯାଇଛି । ମାହାଙ୍ଗାରେ ଏଭଳି ଅବାଧ କାରବାର ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଚର୍ଚ୍ଚା ଜୋର ଧରିଛି l ସେହିପରି ନିଶ୍ଚିନ୍ତକୋଇଲି ତହସିଲ ଅଧିନରେ ଚାଲୁଥିବା ବେଆଇନ ବାଲି ଚାଲାଣ ବେଳେ ୭ ଟି ହାଇଓ୍ୱା ସହ ଚୋରା ବାଲିକୁ ଜବତ୍ କରାଯାଇଛି ।