ଗୁଜବ ପଡିଲା ମହଙ୍ଗା : ଅମିତ ଶାହାଙ୍କ ନାଁର ମିଥ୍ୟା ଖବର ପ୍ରଚାର କରି ୪ ଗିରଫ

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ ୧୦।୦୫: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ନାମରେ ଜାଲ୍‌ ଟ୍ୱିଟର ଆକାଉଣ୍ଟ ସୃଷ୍ଟି କରାଯାଇ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କରାଯାଇଛି । ଏହି ମାମଲାରେ ଅହମ୍ମଦାବାଦ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହାପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଏକ ବିବୃତି ଜାରି କହିଛନ୍ତି, ସୋସିଆଲ ମିଡିଆରେ ମୋ ସ୍ୱାସ୍ଥ୍ୟକୁ ନେଇ ଯେଉଁ ଗୁଜବ ସୃଷ୍ଟି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭୁଲ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୋର କୌଣସି ଅସୁବିଧା ନାହିଁ ।

ପୋଲିସ ବିଭାଗର ସ୍ୱତନ୍ତ୍ର କମିଶନର (ଅପରାଧ) ଅଜୟ ତୋମର୍‌ କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ସମ୍ପର୍କରେ ଗୁଜବ ସୃଷ୍ଟି କରି ଏହାକୁ ସୋସିଆଲ ମିଡିଆରେ ପ୍ରସାରଣ କରିବା ଅଭିଯୋଗରେ ସ୍ଥାନୀୟ କ୍ରାଇମ ବ୍ରାଞ୍ଚ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି । ଅଭିଯୁକ୍ତମାନେ ଶାହଙ୍କ ନାମରେ ଜାଲ ଟ୍ୱିଟର ଆକାଉଣ୍ଟ ଖୋଲି ତାଙ୍କୁ ଏକ ବଡ଼ ରୋଗ ହୋଇଛି ବୋଲି ଦର୍ଶାଇଥିଲେ । ଆକାଉଣ୍ଟର ଏକ ସ୍କ୍ରିନ ସଟ୍‌ ନେଇ ସେମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋକୁ ଲୋକମାନେ ଦେଖିବା ପରେ ଏହା ଭାଇରାଲ ହେବାକୁ ଲାଗିଥିଲା । ତାଙ୍କ କହିବାନୁଯାୟୀ ସନ୍ଦିଗ୍ଧମାନଙ୍କୁ ଅହମ୍ମଦାବାଦ ଏବଂ ଭାବନଗରଠାରୁ ଗିରଫ କରାଯାଇଥିଲା ।

ସେମାନଙ୍କୁ ପଚରାଉଚରା କରାଯାଉଛି । ଆଇଟି ଆଇନ ଧାରା ୬୬ (ସି) ଓ ୬୬ (ଡି) ଅନୁସାରେ ମାମଲା ଦାଏର କରାଯାଇଛି । ସେପଟେ ବିଜେପି ଅଧ୍ୟକ୍ଷ ଜେ ପି ନଡା ଟ୍ୱିଟ୍‌ କରି କହିଛନ୍ତି, ଅମିତ ଶାହଙ୍କ ସ୍ୱାସ୍ଥ୍ୟ ବାବଦରେ ଏଭଳି ଅମାନବୀୟ ଟିପ୍ପଣୀ ଦିଆଯିବା ଅତ୍ୟନ୍ତ ନିନ୍ଦନୀୟ । କାହାର ସ୍ୱାସ୍ଥ୍ୟକୁ ନେଇ ଏଭଳି ମିଥ୍ୟା ଖବର ସୃଷ୍ଟି କରାଯିବା ଉଚିତ ନୁହେଁ । କେବଳ ମାନସିକ ସ୍ଥିତି ଖରାପ ଥିବା ଲୋକମାନେ ଏଭଳି କରିପାରନ୍ତି । ମୁଁ ଏହାକୁ ତୀବ୍ର ଭର୍ତ୍ସନା କରୁଛି ଏବଂ ଏଭଳି ଲୋକଙ୍କୁ ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.