କର୍ତ୍ତବ୍ୟରେ ଅବହେଳା ପାଇଁ ୪ ଡାକ୍ତର ନିଲମ୍ବିତ

Published By : Prameya-News7 Bureau | May 18, 2019 IST

ଭୁବନେଶ୍ବର ୧୮|୫: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲାର ୪ ଜଣ ଡାକ୍ତର (ସହକାରୀ ସର୍ଜନ)ଙ୍କୁ ରାଜ୍ୟ ସରକାର  ନିଲମ୍ବନ  କରିଛନ୍ତି  ।  ସେମାନେ  ହେଲେ  ଚିଲିକା-ନୂଆପଡା  ଗୋଷ୍ଠୀ  ସ୍ବାସ୍ଥ୍ୟ କେନ୍ଦ୍ରର  ଡାକ୍ତର ଜାହାନା ପରବିନ୍ ଓ ଡାକ୍ତର ଜାକେଶ୍ ସାମନ୍ତରାୟ, ବ୍ରହ୍ମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂତନ)ର ଡାକ୍ତର ବାପୁଜୀ ନାୟକ, ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଜସ୍ମିନ୍ ନୀଳିମା ପଣ୍ଡା ।

ସୂଚନା ଯୋଗ୍ୟ ଯେ, ସ୍ବାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ଫୋନି ବାତ୍ୟା ପରବର୍ତ୍ତି ସ୍ବାସ୍ଥ୍ୟସେବା କାର୍ଯ୍ୟ ତଦାରକ କରିବାକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିଲେ ।

ବାତ୍ୟା ପରବର୍ତ୍ତି ଅବସ୍ଥାରେ ପୁରୀ  ଜିଲ୍ଲା  ସ୍ବାସ୍ଥ୍ୟସେବା  ବ୍ୟବସ୍ଥା  ଉପରେ  ରାଜ୍ୟ  ସରକାର ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ବେଳେ ବିଭାଗର କମିଶନରଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଘନ ଘନ ଗସ୍ତ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳରେ ମହାମାରୀ ନବ୍ୟାପିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସବୁମନ୍ତେ ଉଦ୍ୟମ ଜାରି ରଖିଥିବା ବେଳେ ଏହି ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ରହିବା ଓ ଅବହେଳା ପ୍ରଦର୍ଶନ କରୁଥିବା ଦୃଷ୍ଟିକୁ ଆସିଥିଲା ।

ଅନ୍ୟପକ୍ଷରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ରାମଚନ୍ଦ୍ର ରାଉତଙ୍କୁ ବଦଳି କରାଯାଇ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ ଅବସ୍ଥାପିତ କରାଯାଇଛି ।

ସେହିପରି ସୁନ୍ଦରଗଡ ପୌରପାଳିକାର ସ୍ବାସ୍ଥ୍ୟ ଅଧିକାରୀ ଡାଃ ବସନ୍ତ କୁମାର ମିଶ୍ରଙ୍କୁ ଭୁବନେଶ୍ବର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ଭାବେ ବଦଳି କରାଯାଇଛି । ଏ ନେଇ ବିଭାଗ ତରଫରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

{"id":113242}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.