ମୂଷାନଦୀର ସଂପ୍ରସାରଣ ନେଇ ୪ ଦିନ ଧରି ଚାଲିବ ଜନଶୁଣାଣି

Published By : Prameya-News7 Bureau | November 12, 2021 IST

ପୁରୀ ୧୨/୧୧: ପୁରୀ ସହରର ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି । ଜନସଂଖ୍ୟା ତୁଳନାରେ କ୍ଷେତ୍ରଫଳ ବୃଦ୍ଧି ପାଇଁ ସହରର ବଡ଼ ଡାକ୍ତରଖାନା ଛକ ଠାରୁ ବାଟଗାଁ ଓ ମୂଷାନଦୀର ସଂପ୍ରସାରଣ କରାଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।

ଆସନ୍ତା ୧୫ତାରିଖରୁ ୪ ଦିନ ଧରି ପ୍ରଶାସନ ପକ୍ଷରୁ ଜନଶୁଣାଣି ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିବେ ବୋଲି କହିଛନ୍ତି ବିସ୍ଥାପିତ । ଏଣୁ ପୁରୀ ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସହ ମୂଷାନଦୀର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ନେଇ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ଜନଶୁଣାଣି ଅନୁଷ୍ଠିତ ହେବ ।

ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଜଗନ୍ନାଥ ବଲ୍ଲଭ କମ୍ଲେକ୍ସ ପରିସରରେ  ମୂଷାନଦୀର ପ୍ରଥମ  ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ସମଙ୍ଗ, ମାଟିତୋଟା ଓ ମାର୍କଣ୍ତେଶ୍ବର ସାହି- ୧ ପାଇଁ  ଜନଶୁଣାଣି ହେବ‌। ସେହିଭଳି ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କରେ ବଳଗଣ୍ତି ଓ କୁମ୍ଭାରପଡା ନିମନ୍ତେ ୧୬ ତାରିଖ ୧୧ଟା ସମୟରେ କୁମ୍ଭାରପଡା ଜାଇଗଡ ଜାଗା ଏବଂ ଅପରାହ୍ନ ୩ ଘଟିକା ସମୟରେ ଅଠରନଳା ଓ ଜିତକର ମୁଦୁଲି ପାଟଣା ଅଞ୍ଚଳ ନିମନ୍ତେ ଗୋପିନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହେବ ।

ସେହିଭଳି ୧୭ ତାରିଖ ଦିନ ୧୧ ଘଟିକା ସମୟରେ କାଶିହରିପୁର, ସିରେଇକୋଣପାଟଣା, ଭାରତୀପୁର, କଦଳୀବାଡି ପାଟଣା, ଆଳିକିଆ ଓ ଚକ୍ରବର୍ତ୍ତୀ ଗ୍ରାମ ପାଇଁ ମା' ବସନ୍ତେଇ ମନ୍ଦିର ନିକଟରେ ଏବଂ ଉକ୍ତଦିନ ଅପରାହ୍ନ ୩ ଘଟିକା ସମୟରେ ବାଟଗାଁ ନିମନ୍ତେ ହରେକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.