ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣା : ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 29, 2020 IST

ଅନୁଗୋଳ ୨୯।୧୦: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ପଥରଗଡ ଗାଁରେ ବିଷାକ୍ତ ମଦ ପିଇ ୪ ଜଣଙ୍କର ମୃତ୍ୟୁ ହେବା ଘଟଣାରେ ପୋଲିସ ବୁଧବାର ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲାର ପୁରୁଣାକୋଟ ଥାନା ଅନ୍ତର୍ଗତ ପଥରଗଡ ଗ୍ରାମର କାଳିଆ ଦେହୁରୀ (୩୦), ଜରପଡା ଥାନା ଅନ୍ତର୍ଗତ ବଡ଼ହିଁସର ଗ୍ରାମର ଟୁକୁନା ଦେହୁରୀ (୩୦), ତାଳଚେର ଥାନା ଅନ୍ତର୍ଗତ ଗୋବରା ଗ୍ରାମର ଶ୍ରୀକାନ୍ତ ସାହୁ (୩୧) ଓ ନିଶା ଥାନା ଅନ୍ତର୍ଗତ ଝିଣ୍ଟିପାଳ ଗ୍ରାମର ରଞ୍ଜିତ ସାହୁ (୩୩) ।

ପୋଲିସ ସୂଚନା ଅନୁସାରେ କାଳିଆ ଦେହୁରୀ ବେଆଇନ ଭାବେ ଏହି ମଦ ତିଆରି କରୁଥିବା ବେଳେ ଟୁକୁନା ଦେହୁରୀ କାଳିଆକୁ ସ୍ପିରିଟ୍ ଯୋଗାଉ ଥିଲା । ସେହିପରି ରଞ୍ଜିତ ସାହୁ ମହୁଲି ଯୋଗାଉଥିଲା । ବିନା ଲାଇସେନ୍ସରେ କାଳିଆ ଦେହୁରୀ ଏହି ମଦ ତିଆରି କରୁଥିବା ଜାଣି ମଧ୍ୟ ଉଭୟ ତାକୁ ଏହି ସ୍ପିରିଟ ଓ ମହୁଲି ଯୋଗାଇ ଦେଉଥିଲେ । ଆଉ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କାଳିଆ ମଦ ପ୍ରସ୍ତୁତ କରିବା ପରେ ଶ୍ରୀକାନ୍ତ ସାହୁ ଜରିଆରେ ଏହି ମଦକୁ ଅନ୍ୟତ୍ର ବିକ୍ରି କରୁଥିଲା । ଏହି ୩ ଜଣ କାଳିଆ ଦେହୁରୀ ସହ ବେଆଇନ ଭାବେ ମଦ ପ୍ରସ୍ତୁତରେ ଜଡିତ ଥିବା ଜାଣିବା ପରେ ପୋଲିସ ସମସ୍ତଙ୍କୁ ଗିରଫ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.