ଗାଜିଆବାଦରେ ଲୁଚିଥିଲେ ବିଦେଶୀ ତବଲିଗୀ ଜମାତ ସଦସ୍ୟ, ସାହାଯ୍ୟ କରିଥିବା ୪ ଜଣ ଗିରଫ

Published By : Prameya-News7 Bureau | April 19, 2020 IST

ଗାଜିଆବାଦ ୧୯।୪: ଉତ୍ତରପ୍ରଦେଶ ଗାଜିଆବାଦରେ ବିଦେଶୀ ଜମାତ ସଦସ୍ୟଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ଏହି ୪ ଜଣ ପୁରୁଷ ଇଣ୍ଡୋନେସିଆର ୪ ଜଣ ପୁରୁଷ ଏବଂ ୫ ଜଣ ମହିଳାଙ୍କୁ ଲୁଚାଇ ରଖିଥିଲେ । କ୍ବାରେଣ୍ଟାଇନ୍ ଶେଷ ହେବା ପରେ ଆଶ୍ରୟକାରୀଙ୍କୁ ଗିରଫ କରାଯାଇଛି । ସାହିବାବାଦ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି ।

ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳରେ ଅବସ୍ଥିତ ମରକଜରେ ତବଲିଗୀ ଜମାତ କାର୍ଯ୍ୟକ୍ରମ ପରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ବିଦେଶରୁ ଏହି କାର୍ଯ୍ୟକ୍ରମରେ ଲୋକମାନେ ମଧ୍ୟ ଆସିଥିଲେ । ଅନେକ ରାଜ୍ୟରେ ତବଲିଗୀ ଜମାତ ସହିତ ଜଡିତ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଯେଉଁ ରାଜ୍ୟରେ ଜମାତର ଲୋକମାନେ ଫେରି ଆସିଥିଲେ, ସେମାନଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ଅନେକ ଲୋକ ମଧ୍ୟ ଏହି ଭାଇରସ୍ ସଂକ୍ରମଣର ଶିକାର ହୋଇଥିଲେ ।

ଜମାତ ରାଜ୍ୟ ତଥା କେନ୍ଦ୍ରର ସମସ୍ୟାକୁ ବଢାଇ ଦେଇଛି । ଏହି ସମୟରେ ଗୃହ ମନ୍ତ୍ରଣାଳୟ ରୋହିଙ୍ଗ୍ୟା ଏବଂ ତବଲିଗୀ ଜାମାତର ସମ୍ପର୍କ ଯାଞ୍ଚ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖିଛନ୍ତି । ରୋହିଙ୍ଗ୍ୟା ମୁସଲମାନ ଏବଂ ସେମାନଙ୍କ ପରିଚିତମାନେ ମଧ୍ୟ କୋଭିଡ-୧୯ ପରୀକ୍ଷା କରିବା ଉଚିତ୍ ।

ଏ ନେଇ ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯିବା ଉଚିତ୍ ବୋଲି ଗୃହ ମନ୍ତ୍ରଣାଳୟ କହିଛି । ତବଲିଗୀ ଜମାତରେ ଅନେକ ବିଦେଶୀ ମଧ୍ୟ ଅଛନ୍ତି । ଯେଉଁମାନେ ଏପର୍ଯ୍ୟନ୍ତ ଲୁଚି ରହିଛନ୍ତି । ଏଭଳି ପରିସ୍ଥିତିରେ ପୋଲିସ ଶୀଘ୍ର ଜମାତ ସଦସ୍ୟମାନଙ୍କୁ ଖୋଜିବାରେ ଲାଗିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ଜମାତର ମୌଲାନା ମହମ୍ମଦ ସାଦଙ୍କ ସମେତ ଅନେକ ଲୋକଙ୍କ ଉପରେ ଉଦ୍ଦେଶ୍ୟହୀନ ହତ୍ୟା ମାମଲା ରୁଜୁ କରିଥିଲା । ଜମାତରେ ଜଡିତ ୧୮୯୦ ବିଦେଶୀ ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି । ପୋଲିସ କହିଛି ଯେ ଏହି ଲୋକମାନେ ଭିସା ନିୟମ ଉଲ୍ଲଂଘନ କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୋଲିସ ମରକଜରୁ ୨୩୦୦ରୁ ଅଧିକ ଲୋକଙ୍କୁ ବାହାର କରିଥିଲା ଯେଉଁଥିରେ ୫୦୦ରୁ ଅଧିକ ବିଦେଶୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.