ରାଜପଥ କଡରୁ ଗଳିତ ଶବ ଉଦ୍ଧାର ଘଟଣା : ୪ ଜଣକୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | October 14, 2021 IST

ବ୍ରହ୍ମପୁର ୧୪।୧୦: ହଳଦିଆପଦର ରାଜପଥ କଡରୁ ଗଳିତ ଶବ ଉଦ୍ଧାର ଘଟଣାରେ ୪ ଜଣକୁ ଅଟକ ରଖିଛି ଗୋଷାଣୀନୂଆଗାଁ ପୋଲିସ । ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ୧୬ ନଂ ଜାତୀୟ ରାଜପଥ ନିକଟରୁ ପୋଲସରାର ସୁଧୀର କୁମାର ସାହୁଙ୍କ ଗଳିତ ଶବ ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ କାବୁ କରିଛି । ସେମାନେ ହେଲେ ବାବୁ ଆଚାରୀ, ଲିକୁ ମହାପାତ୍ର, ରାଜୁ ଗୌଡ, ଶଙ୍କର ଗୌଡ । ମୃତ ସୁଧୀର ଓ ଅଭିଯୁକ୍ତମାନେ ମିଳିମିଶି ଭୋଜିଭାତର ଆୟୋଜନ କରିଥିଲେ । କୌଣସି କାରଣକୁ ନେଇ ଏମାନଙ୍କ ମଧ୍ୟରେ  ଗଣ୍ଡଗୋଳ ହେବାରୁ ସୁଧୀରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଡୁରା ନିକଟସ୍ଥ ପଥରାରେ ସୁଧୀରଙ୍କୁ ହତ୍ୟା କରାଯିବା ପରେ ତାଙ୍କୁ ଜାତୀୟ ରାଜପଥ କଡରେ ଫୋପାଡି ଦେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ସେହିକ୍ରମରେ ଥାନାରେ ରୁଜୁ ହୋଇଥିବା  ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲା ରୁଜୁ କରିଛି ପୋଲିସ ।

ଗତ ୭ ତାରିଖରେ ହଳଦିଆପଦର ଓଭରବ୍ରିଜ୍ ନିକଟରେ ଜଣେ ଯୁବକଙ୍କ ଗଳିତ ମୃତଦେହ ରାଜପଥ କଡରେ ପଡ଼ିଥିବା ନେଇ ଖବର ପାଇବା ପରେ ଗୋଷାଣୀନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ସୁଧୀରଙ୍କ ଗଳିତ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରୁ ମୃତକଙ୍କ ୨ଟି ମୋବାଇଲ, ମନିପର୍ସ ମିଳିଥିବା ବେଳେ କିଛି ଦୂରରେ ତାଙ୍କ ପ୍ୟାଣ୍ଟ ଓ ସାର୍ଟ ମିଳିଥିଲା । ସୁଧୀର ଶରୀର ସମ୍ପୂର୍ଣ୍ଣ ଉଲଗ୍ନ ରହିଥିବା ବେଳେ କେବଳ ଏକ ଗାମୁଛା ଆବଦ୍ଧ ହୋଇଥିଲା । ପୋଲିସ ସୁଧୀରଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଖବର ଦେବା ସହ ଗଳିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲା । ବ୍ୟବଚ୍ଛେଦ ବେଳେ ସୁଧୀରଙ୍କ ମୁଣ୍ଡରେ କ୍ଷତ ଚିହ୍ନ ରହିଥିବା ଜଣାପଡ଼ିଥିଲା । ତେଣୁ ତାଙ୍କୁ କେହି ହତ୍ୟା କରିବା ପରେ ଏଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଇଥିଲା । ସୁଧିରଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାରୁ ପୂର୍ବ ଶ୍ରତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ ଉପୁଜିଥିଲା ।

ଏପରିକି ବଡ ଡାକ୍ତରଖାନା ଏଫଏମଟି ବିଭାଗର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ତଥ୍ୟପ୍ରମାଣ ସଂଗ୍ରହ କରିଥିଲେ । ମୃତ୍ୟୁ ପୂର୍ବରୁ ସୁଧୀରଙ୍କ ସହ ଯୋଗାଯୋଗରେ ଥିବା ଏକାଧିକ ବ୍ୟକ୍ତିଙ୍କୁ ସନ୍ଦେହ କରି ଥାନାକୁ ଆଣି ପଚରାଉଚରା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଘଟଣାଦିନ ସୁଧୀରଙ୍କ ସମେତ ୭ ରୁ ୮ଜଣ ମିଶି ପଥରାଠାରେ ଭୋଜି କରିଥିଲେ । କୌଣସି କାରଣକୁ ନେଇ ସୁଧୀର ଓ ଅନ୍ୟମାନଙ୍କ ସହ ଗଣ୍ଡଗୋଳ ହେବାରୁ ୪ଜଣ ମିଶି ସୁଧୀରଙ୍କୁ ହତ୍ୟା କରିଥିଲେ ।

ସୁଧୀରଙ୍କ ମୃତ୍ୟୁ ହୋଇଯିବା ପରେ ଏକ ଅଟୋ ଯୋଗେ ତାଙ୍କ ମୃତଦେହକୁ ଆଣି ହଳଦିଆପଦର ଜାତୀୟ ରାଜପଥ କଡରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ । ତେବେ ଗୋଷାଣୀନୂଆଗାଁ ଥାନା କେସ୍ ନଂ ୧୩୮/୨୧ରେ ଏକ ମାମଲା ରୁଜୁ କରି ହତ୍ୟା ମାମଲାରେ ସଂପୃକ୍ତ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ଡୁରା ଓ ପଥରା ଅଞ୍ଚଳର ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.