ପୁରୀରେ ଟଙ୍କତୋରାଣୀ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ୪ ଅଭିଯୁକ୍ତ ଗିରଫ
7/04/2021 at 5:17 PM

ପୁରୀ ୭।୪: ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଚାଲିଛି ସ୍ବତନ୍ତ୍ର ଅଭିଯାନ । ଏନେଇ ୧୧ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୩୧ ତାରିଖରେ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଦାଦା ବଟି ନେଇ ଜଣେ ଟଙ୍କତୋରାଣୀ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ସିଂହଦ୍ବାର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଟିମଣ୍ଡପ ସାହିର ଅଶ୍ବିନ କୁମାର ନାୟକ, ଖଣ୍ଡିଆବନ୍ଧର ଜଗନ୍ନାଥ ସାହୁ, ବାଣୁଆଗଳିର ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ମାଟିମଣ୍ଡପ ସାହିର ରାଜକିଶୋର ନାୟକ ।
ସେହିପରି ଟାଉନ ଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ଏହି ଗ୍ୟାଙ୍ଗର ୭ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏମାନଙ୍କଠାରୁ ୧୭ଟି ମୋବାଇଲ ଜବତ କରାଯାଇଛି । ସେହିପରି ଦାଦାବଟି ଆଦାୟ ଏବଂ ବେଆଇନ ନିଶା କାରବାର ମାମଲାରେ ପୋଲିସ ସ୍ବତନ୍ତ୍ର ଚଢ଼ଉ ଜାରି ରଖିଥିବା ବେଳେ ଗତ ଏକ ମାସ ଭିତରେ ଦାଦା ବଟି ମାମଲାରେ ୫୬ଜଣ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ଡ଼୍ରଗ୍ସ ମାମଲାରେ ୫୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରଛି । ତେବେ ଗତ ୧ ତାରିଖରେ ବଡ଼ଦାଣ୍ଡରେ ଥିବା ମହାପ୍ରଭୁଙ୍କ ମାଉସୀ ମା’ ମନ୍ଦିରରୁ ଚୋରି ମାମଲାରେ ପୋଲିସ ହାତରେ ସୁରାଗ ଲାଗିଥିବା ବେଳେ ଖୁବଶୀଘ୍ର ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ସୂଚନା ଦେଇଛନ୍ତି ।