ଗୁଳିକରି ହାତୀକୁ ମାରିଥିବା ୪ ଅଭିଯୁକ୍ତ ଗିରଫ, ହାତୀଦାନ୍ତ ସହ ଟାଙ୍ଗିଆ ଜବତ

Published By : Prameya-News7 Bureau | June 23, 2020 IST

ବୌଦ୍ଧ ୨୩।୬: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରେ ଗତ ୧୭ ତାରିଖ ଦିନ ଏକ ଗୁଳିବିଦ୍ଧ ଦନ୍ତା ହାତୀର ଶବ ଉଦ୍ଧାର କରାଯାଇଥିଲା । ହାତୀର ଶରୀରରେ ବିଭିନ୍ନ ସ୍ଥାନରେ ଗୁଳି ବାଜିଥିବା ଜଣାପଡିଥିଲା । ଏହି ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ଆଜି ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ସେମାନଙ୍କଠାରୁ ଦୁଇଟି ହାତୀଦାନ୍ତ ଓ ଗୋଟିଏ ଟାଙ୍ଗିଆ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡକଙ୍କାଳ ସାହି ଗ୍ରାମର ଅରୁଣ କହଁର ( ୩୫), ସଦାନନ୍ଦ ଗୁରୁ (୫୦), ଦୁର୍ମମଣୀ ବାଘ ( ୩୨) ଓ ଅର୍ଜୁନ କହଁର ( ୨୯) ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ମାଧପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀକୁ ଗୁଳି ମରାଯାଇ ହତ୍ୟା କରାଯାଇଥିଲା । ତଳଗାଁ ପାୟତର ଡାକପଦର ଗ୍ରାମର କିଛି ମହିଳା ଗତ ୧୭ ତାରିଖ ଦିନ ସକାଳେ ମୁଣ୍ଡେଶ୍ବର ଜଙ୍ଗଲକୁ ଛତୁ ଖୋଜିବା ପାଇଁ ଯାଇଥିବା ବେଳେ ମାଟୁନାଳ ନିକଟରେ ଏକ ଦନ୍ତା ହାତୀ ମରିପଡିଥିବାର ଦେଖିଥିଲେ । ମହିଳାମାନେ ଆସି ଗ୍ରାମରେ କହିଥିଲେ । ଗ୍ରାମବାସୀ ଦନ୍ତାହାତୀ ମରିପଡିଥିବା ଖବର ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ଘଟଣାରେ ବନ ବିଭାଗ ଅଳର ବିଭିନ୍ନ ଲୋକଙ୍କୁ ଆଣି ଜେରା କରିଥିଲା । ସେଥିମଧ୍ୟରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.