ଜେଲରେ ଆତ୍ମହତ୍ୟା କଲେ ଜନ ମାକାଫି, ବିଶ୍ୱରେ କମ୍ପ୍ୟୁଟର ଆଣ୍ଟିଭାଇରସର ଥିଲେ ଜନକ

Published By : Prameya-News7 Bureau | June 25, 2021 IST

ବାର୍ସିଲୋନା ୨୫।୬: କମ୍ପ୍ୟୁଟରକୁ ଭାଇରସ ଆକ୍ରମଣରୁ ରକ୍ଷା କରିବା ଲାଗି ବିଶ୍ୱରେ ପ୍ରଥମ ଆଣ୍ଟିଭାଇରସ ପ୍ରୋଗ୍ରାମ ବିକଶିତ କରିଥିବା ବ୍ରିଟିଶ ଆମେରିକାନ କମ୍ପ୍ୟୁଟର ପ୍ରୋଗ୍ରାମର ଜନ ମାକାଫି ବନ୍ଦୀ ଥିବା ଜେଲରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପ୍ରସ୍ତୁତ ମାକାଫି ଆଣ୍ଟିଭାଇରସ ସଫ୍ଟୱେର ଆଜିବି ସାରା ବିଶ୍ୱରେ  ବିଶ୍ୱସନୀୟ ହୋଇ ରହିଛି। ତାଙ୍କ ବିରୋଧରେ ଶୁଳ୍କ ଠକେଇ ଅଭିଯୋଗ ଥିଲା ଓ ସେ ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ସ୍ପେନ୍‌ କୋର୍ଟ ତାଙ୍କୁ ଆମେରିକାକୁ ପ୍ରତ୍ୟାର୍ପଣ କରିଥିଲେ।

ଆତ୍ମହତ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ମାକାଫିଙ୍କ ଓକିଲ ଜାଭିୟର ୱିଲାବ୍ଲା ଗଣମାଧ୍ୟମକୁ କହିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଗତ ୯ ମାସ ହେଲା ଜେଲରେ ବନ୍ଦୀ ଥିଲେ ଏଥିଲାଗି ମାନସିକ ଚାପରେ ଆସି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି। ଗତବର୍ଷ ଅକ୍ଟୋବର ୩ ତାରିଖ ଦିନ ତାଙ୍କୁ ବାର୍ସିଲୋନା ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ସେ ବ୍ରିଟେନ ପାସପୋର୍ଟରେ ଇସ୍ତାନାବୁଲ ଯିବାକୁ ଅପେକ୍ଷା କରିଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ।

{"id":471155,"width":839,"height":615,"sizeSlug":"large","linkDestination":"none"}

୧୯୪୫ ମସିହାରେ ଇଂଲଣ୍ଡର ଗ୍ଲୁସେଷ୍ଟରସାୟରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ପୁରା ନାମ ଥିଲା ଜନ୍‌ ଡାଭିଡ ମାକାଫି। ୧୯୮୭ ମସିହାରେ ସେ ତାଙ୍କର ମାକାଫି ଆସୋସିଏଟସ୍‌ର ସ୍ଥାପନା କରିଥିବା ବେଳେ ୯୦ ଦଶନ୍ଧୀ ପ୍ରାରମ୍ଭିକ କାଳରେ ତାଙ୍କ କମ୍ପାନୀର ନାମ ତାଙ୍କ ନାମାନୁସାରେ କରାଯାଇଥିଲା। ସେ ନିଜେ ପ୍ରୋଗ୍ରାମିଂ କରିଥିବା ମାକାଫି ଆଣ୍ଟିଭାଇରସକୁ ୨୦୧୧ ମସିହାରେ କାଲିଫର୍ଣ୍ଣିଆର ଚିପ୍‌ ମେକର କମ୍ପାନୀ ଇଣ୍ଟେଲକୁ ୭.୬୮ ବିଲିୟନ ଡଲାରରେ ବିକି ଥିଲେ। ତାଙ୍କ କମ୍ପାନୀର  ବାକି ଭାଗକୁ ସେ ସାଇବର ସୁରକ୍ଷା କମ୍ପାନୀରେ ରୂପାନ୍ତରିତ କରିଥିଲେ। ପର୍ସନାଲ କମ୍ପ୍ୟୁଟରର ଉପଯୋଗ ବଢିବା ସାଙ୍ଗକୁ ମାକାଫି ଆଣ୍ଟିଭାଇରସର ବଜାରରେ ଚାହିଦା ବଢିଯାଇଥିଲା। ୮୦ରୁ ୯୦ ଦଶକ ପର୍ଯ୍ୟନ୍ତ ବିଶ୍ୱର ଫର୍ଚ୍ୟୁ-୧୦୦ କମ୍ପାନୀମାନେ ତାଙ୍କ ପ୍ରସ୍ତୁତ ଆଣ୍ଟିଭାଇରସରେ ନିଜକୁ ସୁରକ୍ଷିତ କରିଥିଲେ। ସେ ୧୯୯୪ ମସିହାରେ କମ୍ପାନୀରୁ ଇସ୍ତଫା ଦେଇଥିଲେ ତଥାପି ବ୍ୟବସାୟ ସହ ନିଜକୁ ଜଡିତ ରଖିଥିଲେ।

କ୍ରେପ୍ଟୋ କରେନ୍ସୀ ଏକ୍ସପର୍ଟ ଥିଲେ ଜନ ମାକାଫି। ବିଟକଏନ୍‌ ମାଇନିଂ ଜରିଆରେ ଏହାକୁ ଲାଭଦାୟ କରିବେ ବୋଲି ସେ ଘୋଷଣା କରିଥିଲେ। ତେବେ ବର୍ଷକ ପରେ ସେ ଅନ୍ୟ ଏକ କ୍ରେପ୍ଟୋ କରେନ୍ସୀ କମ୍ପାନୀର ସିଇଓ ଦାୟିତ୍ୱ ନେଇଥିଲେ। କ୍ରେଫ୍ଟୋ କରେନ୍ସି କନସଲଟାନ୍ସୀ ମାଧ୍ୟମରେ ସେ ବିପୁଳ ଆୟ କରିଥିଲେ ହେଲେ ଆୟକର ଦେଉ ନଥିଲେ। ଏଥିପାଇଁ ସେ ନ୍ୟାୟାଳୟଙ୍କ ଦ୍ୱାରା ଦୋଷୀ ସାବସ୍ତ ହୋଇଥିଲେ ତାଙ୍କୁ ଅନୁନ୍ୟ ୩୦ ବର୍ଷ ଜେଲଦଣ୍ଡାଦେଶ ମିଳିଥାନ୍ତା। ୨୦୧୪-୧୮ରେ ଆୟକର ବାବଦେ ଆମେରିକା ସରକାରଙ୍କୁ ଶୁଳ୍କ ଓ ଏହାର ସୁଧ ବାବଦେ ୪,୨୧୪,୧୦୫ ଡଲାର ପୈଠ କରିବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.