ପୂର୍ବତନ ଭିଜିଲାନ୍ସ ଏସପିଙ୍କ ଦୁର୍ନୀତି ବିରୋଧରେ ଅଭିନବ ପ୍ରତିବାଦ
28/11/2019 at 4:20 PM

ବାଲେଶ୍ବର ୨୮।୧୧: ଅଭିନବ ଉପାୟରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପ୍ରତିବାଦ । ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ଉଜ୍ବଳ ବ୍ରହ୍ମଙ୍କୁ ନିଜ ଖୋଲା ଦେହରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା । ଦୁର୍ନୀତି, ଦଲାଲ, ଜମି ହଡପକାରୀ, ଗୁଣ୍ଡା ଆଦି ନିଜ ଦେହରେ ଲେଖି ଧାରଣାରେ ବସିଥିଲେ ଉଜ୍ବଳ ବ୍ରହ୍ମ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଜି ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ଉଜ୍ବଳ ବ୍ରହ୍ମଙ୍କୁ ଅଭିନବ ଉପାୟରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ନିଜ ଖୋଲା ଦେହରେ ଦୁର୍ନୀତି, ଦଲାଲ, ଜମି ହଡପକାରୀ, ଗୁଣ୍ଡା ଆଦି ଲେଖି ଧାରଣାରେ ବସିଥିଲେ ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ଉଜ୍ବଳ ବ୍ରହ୍ମ । ସେ ଲୋକଙ୍କ ଜୋତା ପଲିସ କରିବା ପାଇଁ ବ୍ରସ୍ ଆଉ ଚେରି କଲର ରଖିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ବିଭାଗରେ ବଢୁଥିବା ଦୁର୍ନୀତି ବିରୋଧରେ ଏଭଳି ଅଭିନବ ଉପାୟରେ ସେ ପ୍ରତିବାଦ କରିଛନ୍ତି ।

ତେବେ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରି ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ ସପ୍ତାହ ପାଳନ ବନ୍ଦ କରିବାକୁ ସେ ଦାବି କରିଛନ୍ତି । ସରକାରୀ ଟଙ୍କାରେ ଏହିଭଳି ସପ୍ତାହ ପାଳନ କରି ସରକାରଙ୍କ ଅର୍ଥ ତୋଷାରପାତ କରାଯାଉଥିବା ସେ କହିଛନ୍ତି । ରାଜ୍ୟକୁ ଦୁର୍ନୀତି ମୁକ୍ତ ଏବଂ ପୋଲିସ ବିଭାଗକୁ ଦୁର୍ନୀତି ମୁକ୍ତ କରିବାକୁ ସେ ଏଭଳି ଅଭିନବ ଉପାୟ ଅବଲମ୍ବନ କରିଥିବା କହିଛନ୍ତି ।

ତାଙ୍କର ଏଭଳି ଅବତାର ଦେଖି ବହୁତ ଭିଡ ମଧ୍ୟ ଜମିଥିଲା । କେହି କେହି ତାଙ୍କୁ ଜୋତା ପଲିସ କରିବାକୁ ଜୋତା ଦେଇଥିବା ବେଳେ ଅନ୍ୟମାନେ ଏହା କରିବାକୁ ସଙ୍କୋଚ କରିଥିଲେ ।