‘ଲଭ୍ ଜିହାଦ’ ଆଇନକୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁରଙ୍କ ବିରୋଧ, କହିଲେ 'ଚୟନ କରିବାର ସ୍ବତନ୍ତ୍ରତା ବିରୋଧରେ ଏହି ଆଇନ'

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୧।୧୨: ଉତ୍ତରପ୍ରଦେଶରେ ଲଭ୍ ଜିହାଦ ବିରୋଧରେ ଆଣାଯାଇଥିବା ଅଧ୍ୟାଦେଶକୁ ରାଜ୍ୟପାଳ ମଞ୍ଜୁରୀ ଦେବା ପରେ ଏହାକୁ ଆଇନ କରିଦିଆଯାଇଛି । ଅନ୍ୟପଟେ ଏହି ଆଇନ ବିରୋଧରେ ପ୍ରତିବାଦର ସ୍ବର ଉତ୍ତୋଳନ ହେବାରେ ଲାଗିଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁର ମଧ୍ୟ ଏହି ଆଇନକୁ ବିରୋଧ କରୁଛନ୍ତି । ଲୋକୁର କହିଛନ୍ତି ଯେ, ଏହି ଆଇନ ଫ୍ରିଡମ୍ ଅଫ୍ ଚଏସ୍ ଅଥବା ଚୟନ କରିବାର ସ୍ବାଧୀନତାକୁ ବିରୋଧ କରୁଛି ।  

ଗତ ରବିବାର ଦିନ ଲୋକୁର କହିଛନ୍ତି ଯେ, ଉତ୍ତରପ୍ରଦେଶରେ ଏଇ ନିକଟରେ ପାସ୍ ହୋଇଥିବା ଅଧ୍ୟାଦେଶ ଦୁର୍ଭାଗ୍ୟଜନକ । ଯେଉଁଥିରେ ଜବରଦସ୍ତି, ଧୋକା ଅଥବା ପ୍ରଲୋଭିତ କରି ଧର୍ମାନ୍ତୀକରଣ କରି ବିବାହ କରିବା କଥା କୁହାଯାଇଛି । ଏହି ଅଧ୍ୟାଦେଶ ଚୟନ କରିବାର ସ୍ବାଧୀନତା, ଗରିମା ଏବଂ ମାନବାଧିକାରକୁ ଅଣଦେଖା କରୁଛି । ସେ କହିଛନ୍ତି ଯେ, ଧର୍ମାନ୍ତରଣ ସମ୍ବନ୍ଧୀୟ ବିବାହ ବିରୋଧରେ ଏହି ଆଇନ ସୁପ୍ରିମକୋର୍ଟ ଦ୍ବାରା ଚୟନ କରିବାର ସ୍ବତନ୍ତ୍ରତା ଏବଂ ବ୍ୟକ୍ତିର ଗରିମାର ସୁରକ୍ଷା ପାଇଁ ବିକସିତ କରାଯାଇଥିବା ନ୍ୟାୟଶାସ୍ତ୍ରର ଉଲଂଘନ । ଲୋକୁର ୨୦୧୮ର ହାଦିୟା କେସ୍ ବିଷୟ ମଧ୍ୟ ଉଠାଇଥିଲେ । ସେ କହିଥିଲେ ହାଦିୟା କେସ୍ ରେ ୨୦୧୮ରେ ସୁପ୍ରିମକୋର୍ଟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶର କଣ ହେଲା ? ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଦାହରଣ ଦେଇ କହିଛନ୍ତି ଯେ, ଜଣେ ମହିଳା ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମ ଗ୍ରହଣ କରିପାରେ ଏବଂ ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିପାରିବ ।

ରାଜନୈତିକ ଚର୍ଚ୍ଚାରେ ଲଭ୍ ଜିହାଦ କୁହାଯାଉଥିବା ମାମଲାକୁ ହିଁ ଅସାମ୍ବିଧାନିକ ଧର୍ମାନ୍ତୀକରଣ ବୋଲି ଧରାଯିବ ଏବଂ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୫ରୁ ୧୦ ବର୍ଷ ଜେଲ୍ ଦଣ୍ଡ କଥା ମଧ୍ୟ କୁହାଯାଇଛି ।

ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ ଅବୈଧ ବୋଲି ପୂର୍ବରୁ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । ପ୍ରିୟାଂଶୀ ଓରଫ ସମରୀନ ଏବଂ ଅନ୍ୟଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନ ସ୍ବୀକାର୍ଯ୍ୟ ନୁହେଁ । ବିବାହ ପାଇଁ ଧର୍ମ ପରିବର୍ତ୍ତନ ଆବଶ୍ୟକ ନୁହେଁ । ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ସରକାର ଏକ ପ୍ରଭାବୀ ଆଇନ ପ୍ରସ୍ତୁତ କରିବ । ଏହି ଆଇନ ମାଧ୍ୟମରେ ସରକାର ନାମ, ପରିଚୟ ଏବଂ ନିଜର ଧର୍ମ ଲୁଚାଇ ଝିଅ-ଭଉଣୀଙ୍କ ସହ ଖେଳୁଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.