ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳିଙ୍କ ଦାବି- ଏହି ଲିଗ୍‌ ଖେଳିଲେ ଭାରତରେ ପ୍ରବେଶ ମନା

Published By : Prameya-News7 Bureau | July 31, 2021 IST

ନୂଆଦିଲ୍ଲୀ ୩୧।୦୭: ପାକିସ୍ତାନ ନିଜର ରାଜନୈତିକ ଏଜେଣ୍ଡା ଅନୁରୂପ ଅବୈଧ କବଜା କରିଥିବା କାଶ୍ମୀର(ପିଓକେ)ରେ ଟି-୨୦ ଲିଗ୍ ଆୟୋଜନ କରୁଛି। ଏହି ଲିଗ୍‌ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଅନେକ ବିଦେଶୀ ଖେଳାଳିଙ୍କ ସହ ଚୁକ୍ତିବଦ୍ଧ କରିଛି। କିନ୍ତୁ ଏବେ ଅନେକ ବିଦେଶୀ ତାରକା ଖେଳାଳି ଏହି ଲିଗ୍‌ରୁ ଓହରିବାରେ ଲାଗିଛନ୍ତି। ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ହର୍ସଲ ଗିବ୍ସ ବଡ ଦାବି କରିଛନ୍ତି। ଗିବ୍ସ କହିଛନ୍ତି, ଏହି ଲିଗ୍‌ରେ ଯେଉଁ ଖେଳାଳି ଖେଳିବେ ଭାରତରେ ତାଙ୍କର ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ବିସିସିଆଇ କହିଛି। ପାକିସ୍ତାନର ପୂର୍ବତନ ଅଧିନାୟକ ରାଶିଦ ଲତିଫ ମଧ୍ୟ ଏହି ଧରଣର ଦାବି କରିଛନ୍ତି।

ଗିବ୍ସଙ୍କ ଅନୁଯାୟୀ, ବିସିସିଆଇ ଏହା ମଧ୍ୟ କହିଛି, ଯେଉଁ ବିଦେଶୀ ଖେଳାଳି ପାକ୍ ଅଧିକୃତ କାଶ୍ମୀରରେ ହେବାକୁ ଥିବା ଲିଗ୍‌ରେ ଖେଳିବେ, ଭବିଷ୍ୟତରେ ସେମାନଙ୍କୁ  ଭାରତରେ କ୍ରିକେଟ୍ ସଂପର୍କିତ କୌଣସି କାମ ମିଳିବ ନାହିଁ। ବିସିସିଆଇ ଏହି ସନ୍ଦେଶ ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ବୋର୍ଡର ପ୍ରମୁଖ ଗ୍ରେମ୍ ସ୍ମିଥ୍‌ଙ୍କୁ ଦେଇଥିବା ଗିବ୍ସ କହିଛନ୍ତି।

ଗିବ୍ସଙ୍କ ଏହି ଦାବି ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ କ୍ଷୁବ୍ଧ। ଭାରତର ଏହି ଆଭିମୁଖ୍ୟକୁ କଡା  ନିନ୍ଦା କରିଛି ପିସିବି। ଅନ୍ୟପଟେ ପିସିବି ଦାବି କରିଛି, ଭାରତୀୟ ବୋର୍ଡର ଚାପ ସତ୍ତ୍ଵେ ଗିବ୍ସ ଓ ଶ୍ରୀଲଙ୍କାର ତିଳକେରତ୍ନେ ଦିଲସାନ ଏହି ଲିଗ୍‌ରେ ନିଶ୍ଚୟ ଖେଳିବେ। ଏହା ବାଦ୍ ପାକିସ୍ତାନ କ୍ରିକେଟ୍ ବୋର୍ଡ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସରଙ୍କ ସହିତ କିଛି ଅନ୍ୟ ବିଦେଶୀ ଖେଳାଳିଙ୍କ ସହ ମଧ୍ୟ ଚୁକ୍ତି କରିଥିଲା। ହେଲେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏହି ସବୁ ଖେଳାଳି ଉକ୍ତ ଲିଗ୍‌ରେ ଅଂଶ ଗ୍ରହଣ କରିବେ ନାହିଁ। ଗିବ୍ସ ଓ ପିସିବିର ଦାବି ଉପରେ ବିସିସିଆଇ କିମ୍ବା ଭାରତ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.