ବିଗିଡିଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

Published By : Prameya-News7 Bureau | October 13, 2021 IST

ନୂଆଦିଲ୍ଲୀ ୧୩।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିଛି। ସୂଚନା ଅନୁଯାୟୀ ବୁଧବାର ତାଙ୍କର ଅଚାନକ ସ୍ଵାସ୍ଥ୍ୟବସ୍ଥା ବିଗିଡିଥିଲା। ତାଙ୍କୁ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ  ହୋଇଥିଲା ଏବଂ ଲଗାତାର ଛାତି ଯନ୍ତ୍ରଣା ଅନୁଭବ କରୁଥିଲେ। ଏହା ପରେ  ବୁଧବାର ସନ୍ଧ୍ୟା ୬ଟା ୧୫ରେ ଦିଲ୍ଲୀ ସ୍ଥିତ ଏମ୍ସରେ କାର୍ଡିଓ ବିଭାଗରେ ଭର୍ତ୍ତି କରାଯାଇଛି। ମନମୋହନଙ୍କ ଚିକିତ୍ସା ନ୍ୟୁରୋ ଡାକ୍ତର ଅଚଲ ଶ୍ରୀବାସ୍ତବ ଏବଂ ହୃଦ ରୋଗ ଡାକ୍ତର ନୀତିଶ ନାୟକ କରୁଛନ୍ତି। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି।

ସୂଚନାଯୋଗ୍ୟ, ୮୯ ବର୍ଷୀୟ ଡ. ମନମୋହନ ସିଂହ ମେଧୁମେହ ରୋଗୀ। ଚଳିତ ବର୍ଷ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଏପ୍ରିଲ ୨୯ରେ ହସ୍ପିଟାଲରୁ ତାଙ୍କୁ ଛୁଟି ଦିଆଯାଇଥିଲା। ଏହା ପୂର୍ବରୁ ମନମୋହନଙ୍କ ଦୁଇ ଥର ବାଇପାସ୍ ସର୍ଜରୀ ହୋଇ ସାରିଛି। ତାଙ୍କର ପ୍ରଥମ ସର୍ଜରୀ ୧୯୯୦ରେ ବ୍ରିଟେନ୍‌ରେ ହୋଇଥିବା ବେଳେ ୨୦୦୯ ଏମ୍ସରେ ଦ୍ଵିତୀୟ ବାଇପାସ୍ ସର୍ଜରୀ ହୋଇଥିଲା।  ଗତ ବର୍ଷ ମେ ମାସରେ ମଧ୍ୟ ଜ୍ଵର ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.