ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର, ପେଟ୍ରୋଲ ୯.୫ ଓ ଡିଜେଲ୍ ୭ ଟଙ୍କା କମିଲା
  • ||
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ଆର ପାରିରେ ଅଟଳ: ଅସ୍ତମିତ ଅର୍ଦ୍ଧ ଶତାବ୍ଦିର ସୂର୍ଯ୍ୟ

16/08/2018 at 1:06 PM

ଭୁବନେଶ୍ବର ୧୬|୮ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଛି । ଆଜି ଅପରାହ୍ନ ୫ଟା ୫ ମନିଟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ଜାରୀ ହୋଇଥିବା ବୁଲେଟିନରେ ଏହି ସୂଚନା ଦିଆଯାଇଛି । ଗତକାଲିଠାରୁ ଗୁରୁତର ହୋଇପଡିଥିବା ବାଜପେୟୀଙ୍କୁ ଲାଇଫ୍ ସପୋର୍ଟ ମଧ୍ୟରେ ରଖାଯାଇଥିଲା । ୨୫ ଡିସେମ୍ବର ୧୯୨୪ ମସିହାରେ ଗୋଆଲିଅରଠାରେ ଜନ୍ମଗ୍ରହମ କରିଥିବା ବାଜପେୟୀଙ୍କୁ ମୃତ୍ୟୁବେଳକୁ ୯୩ ବର୍ଷ ହୋଇଥିଲା । ଅଟଳଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ଜାଣିବା ପରେ ସମଗ୍ର ଦେଶରେ ତାଙ୍କ ଆରୋଗ୍ୟ କାମନା କରି ପୂଜା ଅର୍ଚ୍ଚନା ଚାଲିଥିଲା । ବାଜପେୟୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏମ୍ସରେ ପହଂଚିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବହୁ ବରିଷ୍ଠ ନେତା ଏମ୍ସରେ ପହଂଚିଥିଲେ । ଦିନ ତମାମ ଏମ୍ସ ସମ୍ମୁଖରେ ନେତା ଓ ସାଧାରଣ ଲୋକଙ୍କ ଭିଡ ଲାଗି ରହିଥିଲା । ଦିଲ୍ଲୀସ୍ଥିତି ବାଜପେୟୀଙ୍କ ବାସ ଭବନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଜପେୟୀଙ୍କ ମର ଶରୀରକୁ ରଖିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ତାଙ୍କ ଶେଷକୃତ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ଜାରୀ କରାଯାଇନାହିଁ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଆଜୀବନ ଅବିବାହିତ ଥିବା ବାଜପେୟୀଙ୍କର ଜଣେ ପାଳିତ କନ୍ୟା ଅଛନ୍ତି । ୧୯୫୭ରେ ଭାରତୀୟ ଜନସଂଘ ମାଧ୍ୟମରେ ଭୋଟ ରାଜନୀତିକୁ ଆସିଥିବା ବାଜପେୟୀ ତାଙ୍କ ୫୦ ବର୍ଷର ସଂସଦୀୟ ରାଜନୈତିକ ଜୀବନ ମଧ୍ୟରେ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆଦ୍ୟ ଜୀବନରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘରୁ ନିଜ ସାମାଜିକ ଓ ସାଧାରଣ ଜୀବନ ଆରମ୍ଭ କରିଥିବା ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୬ ମସିହାରେ ୧୩ ଦିନ ପାଇଁ ,୧୯୯୮ ମସିହାରେ ୧୩ ମାସ ପାଇଁ ଏବଂ ୧୯୯୯ ମସିହାରେ ସମ୍ପୂର୍ଣ୍ଣ ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଥିଲେ । ୨୦୦୯ ମସିହାରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଥିଲେ । ୧୯୭୭ ମସିହାରେ ମୋରାରଜୀ ଦେଶାଇଙ୍କ ଜନତାପାର୍ଟି ସରକାରରେ ଅଟଳ ବିହାରୀ ବାଜପେୟୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ଏହି ସମୟରେ ଜାତି ସଂଘର ସାଧାରଣ ପରିଷଦ ବୈଠକେ ହିନ୍ଦୀରେ ଭାଷଣ ଦେଇ ବେଶ ଚର୍ଚ୍ଚିତ ହୋଇଥିଲେ । ଜନତାପାର୍ଟି ସରକାରର ପତନ ପରେ ୧୯୮୦ ମସିହାରେ ସେ ଗଠନ କରିଥିଲେ ଭାରତୀୟ ଜନତା ପାର୍ଟି ଓ ତାର ପ୍ରଥମ ସଭାପତି ମଧ୍ୟ ହୋଇଥିଲେ ।
ନିଜ ପ୍ରଧାନମନ୍ତ୍ରୀତ୍ବ ମସୟରେ ବହୁ ଦୃଢ ଓ ଜନହିତକର କାର୍ଯ୍ୟ ପାଇଁ ମଧ୍ୟ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ରାଜସ୍ଥାନର ପୋଖରାନଠାରେ ପରମାଣୁ ପରୀକ୍ଷା ସମଗ୍ର ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା । ଆନ୍ତର୍ଜାତିକ ସ୍ତରରେ ବିରୋଧର ମଧ୍ୟ ସେ କଡା ମୁକାବିଲା କରିବାରେ ସକ୍ଷମ ହୋଇଥିଲେ । ପାକିସ୍ତାନ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ଲାହୋର ଚୁକ୍ତି କରିବା ସହ ଦିଲ୍ଲୀ ଓ ଲାହୋର ମଧ୍ୟରେ ବସ ଚଳାଚଳ କରାଇଥିଲେ । ୧୯୯୮ ମସିହାର କାର୍ଗିଲ ଯୁଦ୍ଧ ଏବଂ ଏଥିରେ ତାଙ୍କର ଦୃଢ ଆଭିମୁଖ୍ୟ ମଧ୍ୟ ପରବର୍ତ୍ତୀ ରାଷ୍ଟ୍ର ନାୟକଙ୍କୁ ପ୍ରେରଣା ଦେବ । ୨୦୦୧ ମସିହାରେ ପାର୍ଲାମେଣ୍ଟ ଉପରେ ଆତଂକବାଦୀ ଆକ୍ରମଣର ଉଚିତ ଜବାବ ଦେଇ ସେ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଜାତୀୟ ରାଜପଥ ଯୋଜନା ବା ଇଣ୍ଡିଆ ସାଇନିଂ କାର୍ଯ୍ୟକ୍ରମରୁ ଆରମ୍ଭ କରି ଅନ୍ତୋଦୟ ଅନ୍ନପୂଣ୍ଣା ଯୋଜନା ପର୍ଯ୍ୟନ୍ତ ବହୁ ଜନ ହିତକର ଯୋଜନା ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ହିଁ ଆରମ୍ଭ ହୋଇଥିଲା ।
୨୦୧୫ ମସିହାରେ ଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିପୂର୍ବରୁ ୧୯୯୨ ମସିହାରେ ସେ ପଦ୍ମବିଭୂଷଣ ସମ୍ମାନ ପାଇଥିଲେ । ୧୯୯୩ ମସିହାରେ କାନପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧୀ ପ୍ରଦାନ କରାଯାଇଥିଲା । ୧୯୯୪ ମସିହାରେ ଲୋକମାଣ୍ୟ ତିଳକ, ଭାରତ ରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ସମ୍ମାନ, ଶ୍ରେଷ୍ଠ ସାଂସଦ ସମ୍ମାନ ମଧ୍ୟ ସେ ପାଇଥିଲେ । ୨୦୧୫ ମସିହାରେ ସେ ବାଂଲାଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ବାଂଲାଦେଶ ମୁକ୍ତିଯୋଦ୍ଧା ସମ୍ମାନ ମଧ୍ୟ ପାଇଥିଲେ ।
ରାଜନୀତି ସହିତ ହିନ୍ଦୀ ସାହିତ୍ୟରେ ତାଙ୍କର ଗଭୀର ପ୍ରବେଶ ରହିଥିଲା । ଜଣେ ପ୍ରବୀଣ ବାଗ୍ମୀ ଅଟଳ ବିହାରୀ ବାଜପେୟୀ ଜଣେ ଉଚ୍ଚକୋଟୀର କବି ଥିଲେ । ନିଜ ରାଜନୈତିକ ଭାଷଣରେ କବିତାର ଅବତାରଣା କରି ତାଙ୍କ ଭାଷଣକୁ ଅଧିକ ଋଚିପୂର୍ଣ୍ଣ ଓ ଭାବୋଦ୍ଦୀପକ କରିପାରୁଥିଲେ ।
ଏଭଳି ଯୋଗଜନ୍ମା ପୁରୁଷ ଇତିହାସରେ କ୍ବଚିତ ଦେଖିବାକୁ ମିଳନ୍ତି । ତାଙ୍କ ଅବର୍ତ୍ତମାନରେ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରୁଛୁ ।

   Related Posts