କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଟିଏମ୍‌ସିରେ ସାମିଲ୍‌

Published By : Prameya-News7 Bureau | July 05, 2021 IST

କୋଲକାତା, ୦୫/୦୭: ପଶ୍ଚିମବଙ୍ଗରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଦଳକୁ ଆଉ ଏକ ଝଟ୍‌କା ଲାଗିଛି । ପୂର୍ବ ରାଷ୍ଟ୍ରପତି ତଥା ଦିବଂଗତ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ପଶ୍ଚିମବଙ୍ଗରେ ସତ୍ତାରେ ଥିବା ପାର୍ଟି ତୃଣମୂଳ କଂଗ୍ରେସ୍‌ରେ ସାମିଲ୍‌ ହୋଇଛନ୍ତି । ଟିଏମ୍‌ସି କର୍ମୀଙ୍କ ଉପସ୍ଥିତିରେ ଅଭିଜିତ୍‌ ପିତାଙ୍କ ନିର୍ବାଚନ ମଣ୍ଡଳୀ ଜଗିଂପୁରରୁ ଦୁଇଥର ଲୋକସଭା ସାଂସଦ ରହିସାରିଛନ୍ତି ।

ଅଭିଜିତ୍‌ ମୁଖାର୍ଜୀ ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଚେହେରା ନ ହୋଇଥିଲେ ମଧ୍ୟ, ସେ କଂଗ୍ରେସ୍‌ର ହାତ ଛାଡ଼ିବା ନିଶ୍ଚୟ ଦଳ ଉପରେ ପ୍ରଭାବ ପକାଇ ପାରେ ।  ପଶ୍ଚିମବଙ୍ଗରେ ପୁଣିଥରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିବା ପରେ ବହୁ ନେତା ଟିଏମସିରେ ସାମିଲ ହୋଉଥିବା ଦେଖିବାକୁ ମିଳିଛି । ନିକଟରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ଟିଏମସିରେ ପୁଣିଥରେ ସାମିଲ ହୋଇଛନ୍ତି।

ଗତ କିଛିଦିନ ହେବ ଅଭିଜିତ୍  ମୁଖାର୍ଜୀ ଟିଏମସିର ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ। ଆକଳନ କରାଯାଉଛି ଯେ, ଟିଏମସି ଅଭିଜିତ ମୁଖାର୍ଜୀଙ୍କୁ ଜଙ୍ଗିପୁର ବିଧାନସଭା ଆସନ ଦେଇପାରେ। ପ୍ରଣବ ମୁଖାର୍ଜୀଙ୍କ ବଡ ପୁଅ ଅଭିଜିତ ରାଜନୀତିରେ ଆସିବା ପୂର୍ବରୁ ସରକାରୀ ଚାକିରି କରୁଥିଲେ। ରାଷ୍ଟ୍ରପତି ହେବାପରେ ପ୍ରଣବ ମୁଖାର୍ଜୀଙ୍କ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନ୍ ଖାଲି ଥିଲା। ୨୦୧୨ରେ ଅଭିଜିତ୍ କଂଗ୍ରେସରୁ ଟିକେଟ ପାଇ ସେଠାରୁ ନିର୍ବାଚନ ଜିତିଥିଲେ। ସେ ୨୦୧୪ ଲୋକସଭା ନିର୍ବାଚନରେ ଜଙ୍ଗୀପୁରରୁ ପୁଣିଥରେ ସାଂସଦ ହୋଇଥିଲେ। କିନ୍ତୁ ୨୦୧୯ ରେ ଲୋକସଭା ନିର୍ବାଚନରେ ସେ ହାରି ଯାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.