Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମନମୋହନ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର, କୋଭିଡ୍-୧୯ ରିପୋର୍ଟ ବି ନେଗେଟିଭ୍

11/05/2020 at 9:31 PM

ନୂଆଦିଲ୍ଲୀ ୧୧।୦୫: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଛି। ଏମ୍ସ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ନୂତନ ଔଷଧ ସେବନରୁ  ରିଆକ୍ସନ ଓ ଜ୍ଵର ହେବା କାରଣରୁ ରବିବାର ବିଳମ୍ବିତ ରାତ୍ରିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୮୭ ବର୍ଷୀୟ ସିଂହଙ୍କୁ ଏମ୍ସର କାର୍ଡିଓ-ଥୋରେସିକ(ହୃଦ ଓ ଛାତି ସମ୍ବନ୍ଧିତ) କେନ୍ଦ୍ରରେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ରଖାଯାଇଛି।

ସୂଚନା ଅନୁଯାୟୀ ସୋମବାର ସିଂହଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ସିଂହଙ୍କ ଅନେକ ପ୍ରକାରର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଏଥିରୁ ଅନେକ ରିପୋର୍ଟ ଆସିବା ବାକି ରହିଛି। ସୂତ୍ର ଅନୁଯାୟୀ ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ସିଂହଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ। କରୋନା ସଂକ୍ରମଣ ପରୀକ୍ଷା ଲାଗି ତାଙ୍କ ନମୂନା ନିଆଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିଛି। ଏକ ନୂତନ ଔଷଧ ନେବା ପରେ ରିଆକ୍ସନ ହେବା କାରଣରୁ ସିଂହଙ୍କୁ  ଏମ୍ସରେ ଭର୍ତ୍ତି କରାଯାଇଥିଲା ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ମନମୋହନ ସିଂହ କଂଗ୍ରେସର ବରିଷ୍ଠ ନେତା। ସଂପ୍ରତି ସେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୨୦୦୯ରେ ଏମ୍ସରେ ତାଙ୍କର ବାଇପାସ୍‌ ସର୍ଜରୀ ହୋଇଥିଲା। ମନମୋହନ ସିଂହଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ମିଳିବା କ୍ଷଣି ଅନେକ ନେତା ତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ୍ କରିବା ସହିତ ଶୀଘ୍ର ସୁସ୍ଥତାର କାମନା କରିଥିଲେ।

   Related Posts