ମାନିଲା ପାକିସ୍ତାନ: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ରେ ମରିଛନ୍ତି ୩୦୦ ଆତଙ୍କବାଦୀ
9/01/2021 at 7:52 PM

ନୂଆଦିଲ୍ଲୀ ୦୯/୦୧: ୨୬ ଫେବୃଆରୀ ୨୦୧୯ରେ ଭାରତୀୟ ସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍କୁ ନେଇ ସତ ମାନିଛି ପାକିସ୍ତାନ। ବାଲାକୋଟ ଏୟାର ଷ୍ଟ୍ରାଇକ୍ରେ ୩୦୦ ଜଣ ମରିଛନ୍ତି। ଏନେଇ ଏକ ଟିଭି ସୋ’ରେ କହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଆଘା ହିଲାଲି। ଆଘା ହିଲାଲି ସର୍ବଦା ପାକିସ୍ତାନ ସେନା ପକ୍ଷ ନେଉଥିବା ଦେଖିବାକୁ ମିଳେ। କିନ୍ତୁ ବାଲାକୋଟ ଏୟାର ଷ୍ଟ୍ରାଇକ୍ରେ ଇସ୍ଲାମାବାଦର ଜିରୋ କାଜୁଆଲିଟି ଦାବିକୁ ଖଣ୍ଡନ କରିଛନ୍ତି ହିଲାଲି।
ପାକିସ୍ତାନର ପାଖଥୁନଖୁଓ୍ବା ଅଞ୍ଚଳରେ ବାଲାକୋଟରେ ଥିବା ଜୈଶ-ଇ ମହମ୍ମଦ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଷ୍ଟ୍ରାଇକ୍ କରିଥିଲା। କିନ୍ତୁ ସେହି ସମୟରେ ପାକିସ୍ତାନ ସେଠାରେ କୌଣସି ଆତଙ୍କବାଦୀ ନଥିବା ଦାବି କରିଥିଲା। ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଯାହାକୁ ବାଲାକୋଟ ଏୟାର ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ତେବେ ପାକ୍ ଆତଙ୍କବାଦୀ ଫେବୃଆରୀ ୧୪ରେ ଭାରତୀୟ ସେନାର କାଫିଲା ଉପରେ ଆକ୍ରମଣ କରିଥିଲେ। ଯାହାକୁ ଅନ୍ତର୍ଜାତୀୟ ଦେଶ ସମୂହ ଘୋର ନିନ୍ଦା ମଧ୍ୟ କରିଥିଲେ।
ଟିଭିରେ ଡିବେଟ୍ ସମୟରେ ଆଘା ହିଲାଲି କହିଛନ୍ତି, ‘ଅନ୍ତର୍ଜାତୀୟ ସୀମା ପାର କରି ଭାରତ ଯୁଦ୍ଧ ଭଳି କାର୍ଯ୍ୟ କରିଥିଲା। ଯେଉଁଥିରେ ୩୦୦ ଜଣ ମୃତ୍ୟୁବରଣ କରିଥିଲେ। ଆମ ଟାର୍ଗେଟ ତାଙ୍କଠୁ ଭିନ୍ନ। ଆମେ ତାଙ୍କର ହାଇ କମାଣ୍ଡଙ୍କୁ ଟାର୍ଗେଟ କଲୁ। ଏହା ଆମର ବୈଧ] ଲକ୍ଷ୍ୟ ଥିଲା କାରଣ ସେମାନେ ସୈନିକ ଥିଲେ। ଆମେ ଚେତନାତ୍ମକ ଭାବରେ ଗ୍ରହଣ କରିଥିଲୁ ଏହା ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ – ଏକ ସୀମିତ କାର୍ଯ୍ୟ । ବର୍ତ୍ତମାନ ଆମେ ସେମାନଙ୍କୁ କହୁଛୁ ଯେ ସେମାନେ ଯାହା କରିବେ, ଆମେ ତାଠୁ ଅଧିକ କରିବୁ ଏବଂ ଛାଡ଼ିବୁ ନାହିଁ।’
ତେବେ ଆଘା ହିଲାଲିଙ୍କ ଏହି ବୟାନ, ମୁସଲିମ୍ ଲିଗ୍ ନେତା ଆୟାଜ ସାଦିକଙ୍କ ବୟାନର କିଛି ମାସ ପରେ ଆସିଛି। ଅକ୍ଟୋବର ୨୦୨୦ରେ ଦେଶର ଜାତୀୟ ସଭାରେ ଆୟାଜ ସାଦିକ କହିଥିଲେ ଯେ ବୈଦେଶିକ ମନ୍ତ୍ରୀ ଶାହା ମହମଦ କୁରେଶି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସୂଚାଇ ଦେଇଛନ୍ତି ଯେ ଯଦି ପାକିସ୍ତାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମୁକ୍ତ ନକରେ ତେବେ ଭାରତ ପାକିସ୍ତାନ ଉପରେ ସେହି ରାତି ୯ ରେ ଆକ୍ରମଣ କରିବ । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ଫେରାଇବା ପାଇଁ କାହିଁକି ପାକିସ୍ତାନ ବାଧ୍ୟ ହୋଇଥିଲା ସେନେଇ ସେ କହିଥିଲେ।