ପରମବୀର ସିଂହଙ୍କ ନୂଆ ଲେଟର ବମ୍‌, ମହାରାଷ୍ଟ୍ର ଡିଜିପି ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | April 30, 2021 IST

ମୁମ୍ବାଇ ୩୦/୪:  ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଆଉ ଏକ ଲେଟର ବମ୍‌ ବିସ୍ଫୋରଣ ହୋଇଛି। ଏଥିରେ ସେ ମହାରାଷ୍ଟ୍ର ଡିଜିପିଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ)କୁ ଲେଖିଥିବା ଚିଠିରେ ପରମବୀର ସିଂହ ଅଭିଯୋଗ କରିଛନ୍ତି, ମହାରାଷ୍ଟ୍ର ଡିଜିପି ସଞ୍ଜୟ ପାଣ୍ଡେ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଉପରେ ଲଗାଇଥିବା ଅଭିଯୋଗ ଫେରସ୍ତ ନେବାକୁ ତାଙ୍କୁ କହିଥିଲେ। ପରମବୀରଙ୍କ ଅନୁସାରେ, ସଞ୍ଜୟ ପାଣ୍ଡେ ତାଙ୍କୁ କହିଥିଲେ ଅଭିଯୋଗ ଫେରାଇ ନେବା ପରେ ତାଙ୍କ ବିରୋଧରେ ତଦନ୍ତ ବନ୍ଦ କରିଦିଆଯିବ।

ମହାରାଷ୍ଟ୍ର​‌ରେ ଅନୀଲ ଦେଶମୁଖଙ୍କ ବିରୋଧରେ ଆରମ୍ଭ ହୋଇଥିବା ତଦନ୍ତକୁ ପ୍ରଭାବିତ କରିବାକୁ ସଞ୍ଜୟ ପାଣ୍ଡେ ପ୍ରୟାସ କରିଥିବା ଅଭିଯୋଗ ଆଣିଛନ୍ତ ପରମବୀର। ଏହା ସହ ସାକ୍ଷୀଙ୍କୁ ପ୍ରଭାବତି କରିବାକୁ ଚେଷ୍ଟା କରାଯାଉଥିବା ସେ ଲେଖିଛନ୍ତି। ପାଖାପାଖି ଦେଢ଼ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରମବୀର ସିଂହ ଚିଠି ଲେଖି ଅଭିଯୋଗ ଆଣିଥିଲେ, ଅନୀଲ ଦେଶମୁଖ ମୁମ୍ବାଇ ପୋଲିସରୁ ନିଲମ୍ବିତ ଅଧିକାରୀ ସଚିନ ବାଜେଙ୍କୁ ପ୍ରତି ମାସ ୧୦୦ କୋଟି ଟଙ୍କା ଆଦାୟ କରିବାକୁ ଟାର୍ଗେଟ ଦେଇଥିଲେ। ଅନୀଲ ଦେଶମୁଖ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ଏବେ ସିବିଆଇ ତଦନ୍ତର ସାମ୍ନା କରୁଛନ୍ତି। ଏ ସସମ୍ତ ମାମଲା ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋଟକ ଥିବା କାର ଜବତ ହେବା ପରେ ଆରମ୍ଭ ହୋଇଥିଲା।

ଏହି ମାମଲାରେ ମୁମ୍ବାଇ ପୋଲିସର ଏପିଆଇ ସଚିନ ବାଜେଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ବିବାଦ ବଢ଼ିଥିଲା। ସିବିଆଇକୁ ଲେଖିଥିବା ଚିଠିରେ ପରମବୀର ସିଂହ ଦାବି କରିଛନ୍ତି, ମହାରାଷ୍ଟ୍ର ଡିଜିପି ସଞ୍ଜୟ ପାଣ୍ଡେ ତାଙ୍କୁ ଫୋନ କରି ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଇଥିଲେ। ଏହି ମାମଲାରେ ସେ କିଛି ପରାମର୍ଶ ଦେବାକୁ ଚାହୁଁଥିରେ ବୋଲି ପରମବୀର ଲେଖିଛନ୍ତି। ପରମବୀର ଲେଖିଛନ୍ତି, ‘ସେ (ଡିଜିପି) ମୋତେ ପରାମର୍ଶ ଦେଇ କହିଥିଲେ ​‌ସେ ସିଷ୍ଟମ  ବିରୋଧରେ ଦୀର୍ଘ ବର୍ଷ ଲଢ଼େଇ କରିଛନ୍ତି କିନ୍ତୁ ସିଷ୍ଟମ କେବେ ଜିତିବାକୁ ଦିଏ ନାହିଁ। ସେ ନିଜର ଅନୁଭୂତିକୁ ନେଇ କହିଥିଲେ କେହି ସିଷ୍ଟମ ବିରୋଧରେ ଲଢ଼େଇ କରିପାରିବ ନାହିଁ। ସେ ଆଗକୁ କହିଥିଲେ ୧ ଏପ୍ରିଲ ୨୦୨୧ ମୋ ବିରୋଧରେ ତଦନ୍ତ ପାଇଁ ସରକାର ବିଚାର କରୁଛନ୍ତି । ସରକାର ମୋ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଚାହୁଁଛନ୍ତି।’

ପରମବୀର ସିଂହ ଆହୁରି ଲେଖିଛନ୍ତି, ‘ଡିଜିପି ମୋତେ କହିଲେ ଯଦି ମୁଁ ଠିକ୍‌ ଥିବି ତଥାପି ସରକାରଙ୍କ ବିରୋଧରେ ଲଢ଼ିପାରିବି ନାହିଁ। ମୋତେ ଆଗକୁ ଆହୁରି ଅସୁବିଧାରେ ପକାଇବା ସହ ହଇରାଣ ହରକତ କରାଯିବ।’ ଚିଠିରେ ପରମବୀର ଆଗକୁ ଲେଖିଛି ମୁଖ୍ୟମନ୍ତ୍ରୀ ଦେଇଥିବା ଅଭିଯୋଗ ଫେରସ୍ତ ନେବାକୁ ଡିଜିପି ପରାମର୍ଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.