ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଦୋଷୀ ସାବ୍ୟସ୍ତ: ୧୨ ତାରିଖରେ ସଜ୍ଜା ଶୁଣାଇବେ କୋର୍ଟ

Published By : Prameya-News7 Bureau | November 10, 2021 IST

ଚିତ୍ରକୂଟ ୧୦/୧୧ : ଚିତ୍ରକୂଟର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ବଡ ଝଟକା ଲାଗିଛି। ଲକ୍ଷ୍ନୌ ଏମପି ଏମଏଲଏ ସ୍ପେଶାଲ କୋର୍ଟ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ସହ ଅଶୋକ ତିୱାରୀ, ଆଶିଷ ଶୁକ୍ଲାକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। କୋର୍ଟ ନଭେମ୍ବର ୧୨ ତାରିଖରେ ଦୋଷୀଙ୍କୁ ସଜା ଶୁଣାଇବେ। ଅପରପକ୍ଷରେ ବିକାଶ ବର୍ମା, ରୁପେଶ୍ୱର, ଅମରେନ୍ଦ୍ର ସିଂହ, ପିଣ୍ଟୁ ଓ ଚନ୍ଦ୍ରପାଲଙ୍କୁ କୋର୍ଟ ଖଲାସ କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କୋର୍ଟ ଗାୟତ୍ରୀ ପ୍ରଜାପତି ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମୌଖିକ ସାକ୍ଷ୍ୟ ପାଇଁ ଶେଷ ତାରିଖ ୨ ତାରିଖ ଦେଇଥିଲେ। ପୂର୍ବତନ ଖନନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ତରଫରୁ ମଙ୍ଗଳବାର ଦିନ ମାମଲାରେ ଆବେଦନ କରି ମୁକଦମା ତାରିଖ ଆଗକୁ ବଢାଇବାକୁ ଅନୁରୋଧ କରାଯାଇଥିଲା। ମୁକଦ୍ଦମା ଅନ୍ୟ କୌଣସି ରାଜ୍ୟକୁ ଟ୍ରାନ୍ସଫର କରିବାକୁ ଆବେଦନ କରାଯାଇଥିଲା। ଦାବିକୁ ନେଇ ତାଙ୍କ ତରଫରୁ ସୁପ୍ରିମକୋର୍ଟରେ ବିଶେଷ ଯାଚିକା ଦାଖଲ କରାଯାଇଥିଲା।

ନଭେମ୍ବର ୮ ରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଆବେଦନ କରି କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ଯେ ସାକ୍ଷୀ ଅଂଶୁ ଗୌଡ଼ ନିଜ ବୟାନରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ପୀଡିତାଙ୍କୁ ଅନେକ ପ୍ଲାଣ୍ଟର ରେଜିଷ୍ଟ୍ରି ଓ ବିପୁଳ ପରିମାଣର ନଗଦ ଟଙ୍କାର ପ୍ରଲୋଭନ ଦେଖାଇ କୋର୍ଟରେ ଉପଯୁକ୍ତ ସାକ୍ଷ୍ୟ ପ୍ରଦାନ ନକରିବାକୁ ପ୍ରବର୍ତ୍ତାଯାଇଥିଲା।

ସୂଚନାଯୋଗ୍ୟ ଯେ, ପୀଡିତା ଏମପି ଏମଏଲଏ କୋର୍ଟରେ ଗାୟତ୍ରୀ ପ୍ରଜାପତିଙ୍କ ବିରୋଧରେ ଆଣିଥିବା ଗଣଦୁଷ୍କର୍ମ ଆରୋପକୁ ପ୍ରତ୍ୟାହାର କରିନେଇଛନ୍ତି। ଅଖିଳେସ ଯାଦବଙ୍କ ସରକାର ସମୟରେ କ୍ୟାବିନେଟ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତି ଏହି ଗଣଦୁଷ୍କର୍ମ ମାମଲାରେ ଜେଲରେ ବନ୍ଦୀ ଅଛନ୍ତି। ୨୦୧୭ ଫେବୃଆରୀ ୧୮ ତାରିଖରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଗାୟତ୍ରୀ ପ୍ରଜାପତି ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ୨୦୧୭ ମାର୍ଚ୍ଚ ୧୫ ତାରିଖରେ ପ୍ରଜାପତିଙ୍କୁ ଗିରଫ କରାଯାଇଥିଲା।

ଚିତ୍ରକୋଟର ଜଣେ ମହିଳା ଗାୟତ୍ରୀ ପ୍ରଜାପତି, ତାଙ୍କର ଅତି ଘନିଷ୍ଠ ଆକାଉଣ୍ଟାଣ୍ଟ ଅଶୋକ ତିୱାରୀ, ଅମରେନ୍ଦ୍ର ସିଂହ ପିଣ୍ଟୁ, ବିକାଶ ବର୍ମା ଏବଂ ଆଶିଷ ଶୁକ୍ଲା ବିରୋଧରେ ଲକ୍ଷ୍ନୌ ଗୌତମପଲ୍ଲୀ ଥାନାରେ ଗଣଦୁଷ୍କର୍ମ, ଜୀବନରେ ମାରିଦେବାକୁ ଧମକ ଏବଂ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜ୍ଜୁ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗୌତମପଲ୍ଲୀ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ମାମଲା ପଞ୍ଜୀକୃତ ହେବା ପରେ ଗାୟତ୍ରୀଙ୍କୁ ୨୦୧୭ ମାର୍ଚ୍ଚ ୧୫ ରେ ଗିରଫ କରାଯାଇଥିଲା। ବୁଧବାର ଦିନ ଲକ୍ଷ୍ନୌ MPMLA କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି। ଏହି ରାୟରେ ଗାୟତ୍ରୀ ପ୍ରସାଦ ପ୍ରଜାପତି, ଅଶୋକ ତିୱାରୀ ଏବଂ ଆଶିଷ ଶୁକ୍ଲାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଅମରନ୍ଦ୍ର ସିଂ ପିଣ୍ଟୁ, ବିକାଶ ଭର୍ମା, ରୂପେଶ୍ୱର ଏବଂ ଚାନ୍ଦପାଲଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବିଳମ୍ବିତ ରାତିରେ ଏହି ରାୟ ଆସିବା ପରେ ତାଙ୍କ ସମର୍ଥକ ନିରାଶା ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.