ମାରୁତି ଉଦ୍ୟୋଗ ଲିମିଟେଡ୍‌ର ପୂର୍ବତନ ଏମଡିଙ୍କ ପରଲୋକ

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୪:  ମାରୁତି ଉଦ୍ୟୋଗ ଲିମିଟେଡ୍‌ର ପୂର୍ବତନ ଏମଡି ତଥା ଅଟୋମୋଟିଭ୍‌ ସେଲ୍ସ ଆଣ୍ଡ ସର୍ଭିସ୍‌ କମ୍ପାନୀ କାର୍ନଶନ୍‌ ଅଟୋ ଇଣ୍ଡିଆର ପ୍ରତିଷ୍ଠାତା ଜଗଦୀଶ ଖଟ୍ଟରଙ୍କ ସୋମବାର ଦିନ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ମାରୁତି ସୁଜୁକିର ଅଧ୍ୟକ୍ଷ ଆରସି ଭାର୍ଗବ ଖଟ୍ଟରଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ଶୋକ ପ୍ରକାଶ କରିଛନ୍ତି।

ଭାର୍ଗବ କହିଛନ୍ତି, ‘ଖଟ୍ଟରଙ୍କ ଦେହାନ୍ତ ଏକ ବ୍ୟକ୍ତିଗତ କ୍ଷତି ଏବଂ ଏଥିପାଇଁ ଗଭୀର ଭାବେ ମର୍ମାହତ। ଦୀର୍ଘ ବର୍ଷ ଆମେ ସାଥିରେ କାର୍ଯ୍ୟ କରିଛୁ। ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏକି ମାରୁତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।’ ଜଗଦୀଶ ଖଟ୍ଟର ୧୯୯୩-୨୦୦୭ ପର୍ଯ୍ୟନ୍ତ ମାରୁତି ଉଦ୍ୟୋଗ ଲିମିଟେଡ୍‌ରେ କାର୍ଯ୍ୟରତ ଥିଲେ।

୧୯୯୩ରେ ସେ ମାରୁତିର ମାର୍କେଟିଂ ଡାଇରେକ୍ଟର ଭା​‌ବେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ୧୯୯୯ରେ ସରକାରଙ୍କ ନୋମିନି ଭାବେ ଏମଡି ହୋଇଥିଲେ। ଏହା ପରେ ୨୦୦୨ରେ ସୁଜୁକି ମୋଟର କର୍ପୋରେସନ୍‌ରେ ଜଣେ ନୋମିନି ଭାବେ ଏମଡି ହୋଇଥିଲେ। ମାରୁତି କମ୍ପାନୀ ସହ ଯୋଡ଼ି  ହେବା ବେଳକୁ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ ଜଗଦୀଶ ଖଟ୍ଟର।

ତାଙ୍କ ପାଖରେ ଦୀର୍ଘ ୩୭ ବର୍ଷର ଅନୁଭବ ଥିଲା। ୨୦୦୭ରେ ମାରୁତି ଉଦ୍ୟୋଗରୁ ଅବସର ନେବା ପରେ ୨୦୦୮ରେ ନିଜର ଏକ ମଲ୍ଟି ବ୍ରାଣ୍ଡ ଅଟୋମୋଟିଭ୍‌ ସେଲ୍ସ ଆଣ୍ଡ ସର୍ଭିସ୍‌ କମ୍ପାନୀ କାର୍ନଶନ୍‌ ଅଟୋର ପ୍ରତିଷ୍ଠା କରିଥିଲେ ଜଗଦୀଶ ଖଟ୍ଟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.