ଆଉ ତିନି ମାସ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି

Published By : Prameya-News7 Bureau | May 05, 2020 IST

ଶ୍ରୀନଗର ୦୫।୦୫: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ପ୍ରମୁଖ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ତିନି ମାସ ବଢାଇ ଦିଆଯାଇଛି। ମେହବୁବା ମୁଫତି ପବ୍ଲିକ ସେଫ୍‌ଟି ଆକ୍ଟ ଆଧାରରେ ପୋଲିସ୍ ହେପାଜତରେ ଅଛନ୍ତି। ୨୦୧୯ ଅଗଷ୍ଟରେ ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା କେନ୍ଦ୍ରର ନିଷ୍ପତ୍ତି ପୂର୍ବରୁ ପୋଲିସ ତାଙ୍କୁ ନିଜ କବଜାକୁ ନେଇ ଯାଇଥିଲା।

ମୁଫତିଙ୍କ ଗୃହବନ୍ଦୀ ଅବଧି ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ଶ୍ରୀନଗର ମାଜିଷ୍ଟ୍ରେଟ୍ ପକ୍ଷରୁ ଜାରି କରାଯାଇଥିବା ଏକ ସଂକ୍ଷିପ୍ତ ଆଦେଶରେ କୁହାଯାଇଛି ଯେ, ମେହବୁବା ମୁଫତିଙ୍କ ତାଙ୍କ ଘରେ ଗୃହବନ୍ଦୀ ଅବଧିକୁ ତିନି ମାସ ବୃଦ୍ଧି କରାଯାଇଛି।

ପ୍ରାୟ ଆଠ ମାସ ଗୃହବନ୍ଦୀ ଜୀବନ କାଟୁଥିବା ମେହବୁବା ମୁଫତି ପୂର୍ବେ ସରକାରୀ କାର୍ଯ୍ୟାଳୟରେ ରହିଥିଲେ, ଯାହାକୁ ସବ୍‌ ଜେଲ୍‌ କରାଯାଇଥିଲା। ମୁଫତିଙ୍କୁ ଏପ୍ରିଲ ୭ରେ କିଛିଟା ଆଶ୍ଵସ୍ତି ଦିଆଯାଇ ତାଙ୍କୁ ଘରକୁ ପଠାଇ ସେଠାରେ ଗୃହବନ୍ଦୀ କରାଯାଇଥିଲା।

ମେହବୁବାଙ୍କୁ ଫେବୃଆରୀ ପୂର୍ବରୁ ସତର୍କତା ପୂର୍ବକ ଅଟକ ରଖାଯାଇଥିଲା ମାତ୍ର ଚଳିତ ବର୍ଷ ଫେବୃଆରୀ ୫ରେ ତାଙ୍କ ଉପରେ ଏବଂ ନ୍ୟାସନାଲ କନଫରେନ୍ସର ସଭାପତି ଉମର ଅବଦୁଲ୍ଲାଙ୍କ ଉପରେ ପବ୍ଲିକ୍ ସେଫ୍‌ଟି ଆକ୍ଟ ଲଗା ଯାଇଥିଲା। ତେବେ ଉମରଙ୍କୁ ମାର୍ଚ୍ଚରେ ମୁକ୍ତ କରାଯାଇଛି। ସେହି ପରି ପିଏସଏ ଆକ୍ଟ ଆଧାରରେ ବନ୍ଦୀ ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଗତ ମାସ ଆରମ୍ଭରେ ମୁକ୍ତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.