ହେପାଜତରେ ଅଛନ୍ତି ଭାରତୀୟ ସେନାର ପୂର୍ବତନ ଅଧିକାରୀ, ବିଦେଶୀ ସଂସ୍ଥା ପାଇଁ କରୁଥିଲେ ଗୁପ୍ତଚର କାମ!

Published By : Prameya-News7 Bureau | November 03, 2019 IST

ନୂଆଦିଲ୍ଲୀ୩/୧୧: ଭାରତୀୟ ସେନା ଓ ଦିଲ୍ଲୀ ପୋଲିସ କବ୍‌ଜାରେ ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ ରହିଛନ୍ତି। ବିଦେଶୀ ସଂସ୍ଥା ଲାଗି ସେ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।  ଭାରତୀୟ ଏଜେନ୍ସିଙ୍କ ସନ୍ଦେହ ରହିଛି କି ଏହି ଅଧିକାରୀ ଦୀର୍ଘଦିନ ଧରି ବିଦେଶୀ ଏଜେନ୍ସିଙ୍କ ପାଇଁ କାମ କରୁଥିଲେ। ଗିରଫ ହୋଇଥିବା ଅଧିକାରୀଙ୍କ ନାଁ ସାର୍ବଜନୀନ କରାଯାଇ ନାହିଁ। ଅଧିକାରୀଙ୍କ ନାଁ ଗୁପ୍ତ ରଖା ଯାଇଛି। ସୂଚନା ଅନୁସାରେ ହେପାଜତରେ ଥିବା ଅଧିକାରୀ ହେଉଛନ୍ତି ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ। ସେ କାନାଡ଼ାରେ ବହୁଦିନ ଧରି ରହୁଥିଲେ।

ଶନିବାର ସନ୍ଦିଗ୍ଧ ଅଧିକାରୀ ଗିରଫ ହୋଇଥିବା କଥା ଦିଲ୍ଲୀ କ୍ୟାଣ୍ଟ ଥାନାର ଏସଏଚଓ ଅଧିକାରୀ ସମୀର ଶ୍ରୀବାସ୍ତବ ସ୍ପଷ୍ଟ କରିଥିଲେ। ପୋଲିସ ଅଧିକାରୀ କହିଥିଲେ ଯେ ସଂପୃକ୍ତ ଅଧିକାରୀଙ୍କ ସଂପର୍କରେ ଏବେ କିଛି କହିବା  ଠିକ୍ ହେବ ନାହିଁ। ଏଜେନ୍ସିମାନେ ସନ୍ଦିଗ୍ଧ ଅଧିକାରୀଙ୍କୁ ପଚାରଉଚାର ଜାରି ରଖିଛନ୍ତି। କୌଣସି ଠୋସ୍‌ ପ୍ରମାଣ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ ।

ଏହି ମାମଲା ଅର୍ନ୍ତଜାତୀୟ  ଓ ହାଇଫ୍ରୋଇଲ ସ୍ତରରେ ହୋଇଥିବା ଯୋଗୁଁ ଦିଲ୍ଲୀ ଜଏଣ୍ଟ କମିଶନର ଆନନ୍ଦ ମୋହନଙ୍କ ଠାରୁ ଆରମ୍ଭ କରି ଦକ୍ଷିଣ-ପଶ୍ଚିମ ଜିଲ୍ଲାର ଡିସିପି ଦେବେନ୍ଦ୍ର ଆରିୟା ପର୍ଯ୍ୟନ୍ତ ସବୁ ଚୁପ୍ ରହିଛନ୍ତି। ଅନ୍ୟପଟେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ହେପାଜତରେ ଥିବା ଅଧିକାରୀ ବହୁତ ଚାଲାଖ୍‌। ତାଙ୍କୁ  ଗିରଫ କରିବା ଲାଗି ବହୁ କଷ୍ଟ କରାଯାଇଥିଲା।

ସଂପୃକ୍ତ ଅଧିକାରୀଙ୍କ ସଂପର୍କରେ ଜାଣିବା ପରେ ଦିଲ୍ଲୀ  ପୋଲିସ ଓ ଗୁଇନ୍ଦା ସଂସ୍ଥା ଦ୍ବାରା ତାଙ୍କୁ ଗିରଫ କରାଯାଇଛି। ଏପଟେ ସନ୍ଦିଗ୍ଧ ଅଧିକାରୀଙ୍କ ସଂପର୍କରେ ଦିଲ୍ଲୀ ପୋଲିସ ମୁହଁ ଖୋଲି ନାହିଁ। ଏପର୍ଯ୍ୟନ୍ତ ଅଧିକାରୀଙ୍କ ପ୍ରକୃତ ପରିଚୟ ବି ମିଳି ପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.