କଂଗ୍ରେସ ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଲେରିଓ, କହିଲେ- ଏହି ପାର୍ଟିର କୌଣସି ଭବିଷ୍ୟତ ନଜର ଆସୁନି

Published By : Prameya-News7 Bureau | September 27, 2021 IST

ପାଣାଜି ୨୭।୦୯: ବିଧାନସଭା ସଦସ୍ୟତା ସହ କଂଗ୍ରେସରୁ ଇସ୍ତଫା ଦେଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ। ସେ ନିଜର ଇସ୍ତଫା ପତ୍ର ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି। ସେ ନିଜର ପତ୍ରରେ ଲେଖିଛନ୍ତି ଯେ, ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମୋତେ ପାର୍ଟିରେ କୌଣସି ଭବିଷ୍ୟତ ନଜର ଆସୁନାହିଁ।

ଅନ୍ୟପଟେ ଫଲେରିଓ ଶୀଘ୍ର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ୍ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ସେ ଟ୍ଵିଟ୍ କରିଛନ୍ତି ଯେ, ଗୋଆରେ ବିଶ୍ଵାସଯୋଗ୍ୟ ବିକଳ୍ପର ଆବଶ୍ୟକତା ରହିଛି। ଆସନ୍ତା ବର୍ଷ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ  ଫଲେରିଓ କଂଗ୍ରେସ ଛାଡିବା ଏବଂ ଗୋଆ ଟିଏମସି ପ୍ରତି ରୁଚି ଦେଖାଇବା ରାଜ୍ୟରେ ନୂତନ ରାଜନୈତିକ ସମୀକରଣ ସୃଷ୍ଟି କରିଛି।

wp:html /wp:html

କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଦୁଇ ପୃଷ୍ଠାର ପତ୍ରରେ ଫଲେରିଓ ଅନେକ କଥା ଉଲ୍ଲେଖ କରିଛନ୍ତି। ଗୋଆ କଂଗ୍ରେସ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ପାର୍ଟିରେ ଜାରି ଅନ୍ତଃକଳହ ଉପରେ ପ୍ରଶ୍ନ ଉଠାଇ ଫଲେରିଓ ଲେଖିଛନ୍ତି ଯେ, ପାର୍ଟି ପକ୍ଷରୁ ମୋତେ ବାରମ୍ବାର ହତୋତ୍ସାହିତ କରାଯାଇଛି।

ସେ ଲେଖିଛନ୍ତି, ୨୦୧୭ ବିଧାନସଭା ନିର୍ବାଚନରେ ଆମେ ୧୭ ଆସନ ଜିତିଲୁ। ଆମ ନିକଟରେ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ଥିଲା। କିନ୍ତୁ ଦଳୀୟ ମତଭେଦ କାରଣରୁ ବିଜେପି ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଥିଲା। ଆମେ ଜନତାଙ୍କୁ ନିରାଶ କଲୁ। ଏହି ସାଢେ ଚାରି ବର୍ଷରେ ମୁଁ ପାର୍ଟିକୁ ଯୋଡିବାର ପୂରା ପ୍ରୟାସ କଲି ମାତ୍ର ହାଇକମାଣ୍ଡଙ୍କ ଅଣଦେଖା ବାରମ୍ବାର ମୋ ଉପରେ ଭାରି ପଡିଲା।

ସେ  ଲେଖିଛନ୍ତି, ୧୩ ବିଧାୟକଙ୍କ କ୍ଷତି ପାଇଁ ଏ ପର୍ଯ୍ୟନ୍ତ ପାର୍ଟିରେ କାହାକୁ ଦାୟୀ କରାଯାଇ ନାହିଁ। ଗୋଆରେ କଂଗ୍ରେସ ଆଉ ସେହି ପାର୍ଟି ହୋଇ ରହିନାହିଁ , ଯାହା ପାଇଁ ଆମେ ବଳିଦାନ ଦେଇଛୁ ଏବଂ ଲଢେଇ କରିଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.