ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜି, ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ
1/03/2021 at 9:33 PM

ପ୍ୟାରିସ୍ ୦୧/୦୩ : ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜି ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୋମବାର ଅଦାଲତ ତାଙ୍କୁ ଦଣ୍ଡ ସ୍ବରୂପ ୩ ବର୍ଷ ଜେଲ ଏବଂ ୨ ବର୍ଷର ବାସନ୍ଦାଦେଶ ଶୁଣାଇଛନ୍ତି । ୨୦୦୭ ରୁ ୨୦୧୨ ଯାଏଁ ସାରକୋଜି ଫ୍ରାନ୍ସର ରାଷ୍ଟ୍ରପତି ପଦରେ ରହିଥିଲେ । ତେବେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ନିକୋଲାସ୍ ସାରକୋଜି କହିଛନ୍ତି, ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କିଛି ଆର୍ଥିକ ଆଇନଗତ ପରାମର୍ଶଦାତା ତାଙ୍କୁ ଫସାଇଦେଇଥିବା ଅଭିଯୋଗ କରିଛନ୍ତି ।
ନିକୋଲାସ୍ ସାର୍କୋଜି ରାଜନୀତିରୁ ସନ୍ୟାସ ନେଇସାରିଛନ୍ତି କିନ୍ତୁ ତଥାପି ରକ୍ଷଣଶୀଳ ନେତାମାନଙ୍କ ମଧ୍ୟରେ ତାଙ୍କର ନାଁ ରହିଛି । ତେବେ ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ତାଙ୍କୁ ୧୦ ଦିନର ମହଲତ ଦିଆଯାଇଛି । ଦୁର୍ନୀତିଗ୍ରସ୍ତ ଭାବେ ଜାକ୍ୟୁସ୍ ଚିରାକଙ୍କ ପରେ ସେ ହେଉଛନ୍ତି ମଡର୍ଣ୍ଣ ଫ୍ରାନ୍ସ୍ର ଦ୍ବିତୀୟ ପୂର୍ବତନ ରାଷ୍ଟ୍ରପତି ।
ସାର୍କୋଜିଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ଯେ, ସେ ତାଙ୍କ ପ୍ରଚାର କାର୍ଯ୍ୟପାଇଁ ହୋଇଥିବା ଆର୍ଥିକ ହେରଫେର୍ ମାମଲାରେ ତଦନ୍ତକୁ ବାଟବଣା କରିବା ପାଇଁ ମୋନୋକ୍କୋରେ ଜଣେ ବିଚାରପତିଙ୍କୁ ପଦୋନ୍ନତି ଦେଇଥିଲେ । ତେବେ କୋର୍ଟରେ ହାଜର ବେଳେ ସେଭଳି କିଛି କରିନଥିବା କହିଥିଲେ ସାର୍କୋଜି ଏବଂ ରାୟ ବିରୁଦ୍ଧରେ ସେ ଅପିଲ କରିବେ ବୋଲି ମଧ୍ୟ ସଚୂନା ଦେଇଛନ୍ତି ।