'CWC ବୈଠକ ନାମକୁ ମାତ୍ର, ସୋନିଆ ଗାନ୍ଧୀ ହିଁ ଦଳର ସର୍ବେସର୍ବା'

Published By : Prameya-News7 Bureau | October 17, 2021 IST

ନୂଆଦିଲ୍ଲୀ ୧୭।୧୦ : କଂଗ୍ରେସ ଅଧ୍ୟକ୍ଷ ପଦ ଦାବି ମଧ୍ୟରେ ଗତକାଲି କଂଗ୍ରେସର କାର୍ଯ୍ୟକାରିଣୀ  ବୈଠକ(ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଛି। ଆଶା କରାଯାଉଥିଲା ଅଧ୍ୟକ୍ଷ ପଦ ନେଇ କିଛି ବଡ ନିଷ୍ପତ୍ତି ହେବ। କିନ୍ତୁ ସେମିତି କିଛି ହେଲା ନାହିଁ। ଏହାକୁ ନେଇ କଂଗ୍ରେସ ପାର୍ଟିକୁ  ତାର୍ତ୍ସଲ୍ୟ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହ। ସିଡବ୍ଲ୍ୟୁସି ବୈଠକ ନାମକୁ ମାତ୍ର ଥିଲା ବୋଲି କହିଛନ୍ତି ନଟବର।

ସେ କହିଛନ୍ତି, ସିଡବ୍ଲ୍ୟୁସି ବୈଠକ କେବଳ ଏକ ଔପଚାରିକତା ଥିଲା। କାରଣ ସୋନିଆ ଗାନ୍ଧୀ ୨୧ ବର୍ଷରୁ ପାର୍ଟିର ବସ୍ ଅଛନ୍ତି। ସେ ହିଁ କଂଗ୍ରେସର ସର୍ବେସର୍ବା।  ଶନିବାର ବସିଥିବା ସିଡବ୍ଲ୍ୟୁସି ବୈଠକ କେବଳ ଔପଚାରିକତା ଥିଲା। ବିରୋଧର ସ୍ଵର ଉଠାଉଥିବା ନେତା ହିଁ ବୈଠକରେ ନିରବ ରହିଥିଲେ। ନରବର ସିଂହ କହିଛନ୍ତି, ପାର୍ଟି ଯେଉଁଭଳି ତୃଣମୂଳସ୍ତରରେ ପ୍ରଦର୍ଶନ କରୁଛି, ସେମିତି ଜାରି ରହିଲେ ଆଗାମୀ ୫ ବିଧାନସଭା ନିର୍ବାଚନରେ ଦଳ ଶୋଚନୀୟ ପରାଜୟ  ଭୋଗିବ।

ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ନଟବର ସିଂହ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ପଦରେ ନିର୍ବାଚନ ୨୦୨୨ ସେପ୍ଟେମ୍ବରରେ ହେବ। ଅନ୍ୟପଟେ ଦଳର ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇ ପଡିଛି। ଦେଶରେ ବର୍ତ୍ତମାନ ବିରୋଧୀ ଦଳ ନାହିଁ କହିଲେ ଚଳେ। ଦଳକୁ ବର୍ତ୍ତମାନ ଏକାଠି ମିଶି କାମ କରିବା ଉଚିତ୍। କିନ୍ତୁ ଅନେକ ରାଜ୍ୟରେ କଂଗ୍ରେସର ଦଳୀୟ କନ୍ଦଳ ଲାଗି ରହିଛି, ଏହା ଆଗାମୀ ନିର୍ବାଚନରେ ଭାରି ପଡିବ ବୋଲି ନଟବର ସିଂହ କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସର ଜି-୨୩ର ଏକ ପ୍ରତିନିଧିମଣ୍ଡଳ ଗତ ବର୍ଷ ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କୁ  ଚିଠି ଲେଖି ସାଂଗଠନିକ ସ୍ଥିତିରେ ସୁଧାର ଲାଗି ଦାବି କରିଥିଲେ।  ଜି-୨୩ର ବରିଷ୍ଠ ନେତା କପିଲ ସିବଲ କହିଥିଲେ, ପାର୍ଟି ନେତା ଅଜଣା ଅଛନ୍ତି ଯେ, ଦଳରେ କିଏ ନିର୍ଣ୍ଣୟ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.