ପଦ୍ମ ଧରିବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର, କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

Published By : Prameya-News7 Bureau | March 24, 2019 IST

ଭୁବନେଶ୍ବର ୨୪|୩ : ପୂର୍ବତନ ପୋଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ବିଜେପି ଯୋଗଦେବେ । ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ଯୋଗ ଦେବେ ।  

ସୂଚନା ଅନୁସାରେ ପ୍ରକାଶ ମିଶ୍ରଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ କଟକ ଲୋକସଭା ଆସନରୁ ଆଶାୟୀ ଥିବା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ଉପସଭାପତି ଭାବେ ପ୍ରତ୍ୟୁଷା ରାଜେଶ୍ବରୀ ଓ ସୁବାସ ଚୌହାନଙ୍କ ସହ ଅବସ୍ଥାପିତ କରାଯାଇଛି। ପୀତାମ୍ବରଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇ ପ୍ରକାଶ ମିଶ୍ରଙ୍କୁ ଦଳୀୟ ଟିକେଟ୍ ଦିଆଯିବ ବୋଲି ଚର୍ଚ୍ଚା ଜୋରଧରିଛି ।

ସୂଚନାଯୋଗ୍ୟ ଯେ, ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ ପ୍ରକାଶ ମିଶ୍ର ରାଜ୍ୟର ପୋଲିସ ଡିଜି ଥିବାବେଳେ ତାଙ୍କୁ ବିଜେଡି ସରକାର ନାନା ଉପାୟରେ ହଇରାଣ କରିଥିଲା। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ତାଙ୍କ ନାଁ ସର୍ବାଗ୍ରେ ଥିବା ବେଳେ ତାଙ୍କ ନାଁରେ ବିଜେଡି ସରକାର ଜାଣିଶୁଣି ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣି ଥିଲା । ଯାହାକି ପରେ ହାଇକୋର୍ଟରେ ଖାରଜ ହୋଇଥିଲା। କୋର୍ଟ ଏଥିପାଇଁ ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନାମରେ କଡା ଟିପ୍ପଣୀ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.