ଚନ୍ଦ୍ରାବାବୁ ନାଇଡୁଙ୍କୁ ଆଉ ଏକ ଝଟକା: ନାଇଡୁଙ୍କ ବଙ୍ଗଳା ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଆଦେଶ
24/06/2019 at 12:56 PM

ଅମରାବତୀ ୨୪/୬ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ‘ପ୍ରଜ୍ଞା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ଆଦେଶ ଦେଇଛନ୍ତି । ମଙ୍ଗଳବାର ଠାରୁ ବଙ୍ଗଳା ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବ । ପ୍ରଜ୍ଞା ବେଦିକା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବଙ୍ଗଳା । କିଛି ଦିନ ପୂର୍ବରୁ ଜଗନ ରେଡ୍ଡୀ ନାଇଡୁଙ୍କୁ ଚିଠି ଲେଖି ପ୍ରଜ୍ଞା ବେଦିକାକୁ ବିରୋଧୀ ନେତାଙ୍କ ସରକାରୀ ଆବାସ ଘୋଷଣା କରିବାକୁ ଦାବି କରିଥିଲେ ।
ଶନିବାର ଦିନ ୱାଇଏସଆର କଂଗ୍ରେସ ସରକାର ନାଇଡୁଙ୍କ ଅମରାବତୀ ସ୍ଥିତ ପ୍ରଜ୍ଞା ବେଦିକା ବଙ୍ଗଳାକୁ ନିଜ କବଜାକୁ ନେଇଥିଲା । ଟିଡ଼ିପି ଏହାକୁ ପ୍ରତିଶୋଧ ରାଜନୀତି ବୋଲି କହିଛି । ବିରୋଧୀ ଅଭିଯୋଗ କରିଛନ୍ତି ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ବିଶ୍ବାସ ଦେଖାଇନାହାନ୍ତି ।

ଆନ୍ଧ୍ର ପ୍ରଦେଶ ନିଜ ପ୍ରଶାସନ ହାଇଦ୍ରାବାଦରୁ ଅମରାବତୀକୁ ସ୍ଥାନାନ୍ତର କରିବା ଦିନରୁ ନାଇଡୁ ଏବେ କ୍ରିଷ୍ଣ ନଦୀ କୂଳରେ ଉନ୍ଦାବଲି ସ୍ଥିତ ଏହି ଆବାସରେ ରହୁଥିଲେ । ହାଇଦ୍ରାବାଦ ଏବେ ତେଲେଙ୍ଗାନାର ରାଜଧାନୀ । ପ୍ରଜ୍ଞା ବେଦିକାର ନିର୍ମାଣ ଆନ୍ଧ୍ର ପ୍ରଦେଶ ରାଜଧାନୀ ଅଂଚଳର ବିକାଶ ପ୍ରାଧିକରଣ ଜରିଆରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଆବାସ ଭାବେ କରାଯାଇଥିଲା । ୫ କୋଟି ଟଙ୍କାରେ ନିର୍ମିତ ଏହି ଆବାସରେ ନାଇଡୁ ପ୍ରଶାସନିକ ବୈଠକ ମଧ୍ୟ କରୁଥିଲେ ।
ଚଳିତ ମାସ ଆରମ୍ଭରେ ନାଇଡୁ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖି ଏହି ଆବାସରେ ବୈଠକ କରିବା ପାଇଁ ଅନୁମତି ମାଗିଥିଲେ । ଏହି ଆବାସକୁ ନେତା ପ୍ରତିପକ୍ଷଙ୍କ ଆବାସ ଘୋଷଣା କରିବାକୁ ସେ ରେଡ୍ଡୀଙ୍କୁ କହିଥିଲେ । କିନ୍ତୁ ସରକାର ପ୍ରଜ୍ଞା ବେଦିକକୁ ନିଜ କବଜାକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ଘୋଷଣା କରିଥିଲେ ଜିଲ୍ଲାପାଳଙ୍କ ବୈଠକ ଏହି ଆବାସରେ ହେବ । ପୂର୍ବରୁ ଜିଲ୍ଲାପାଳଙ୍କ ବୈଠକ ରାଜ୍ୟ ସଚିବାଳୟରେ ହେଉଥିଲା । ନାଇଡୁ ଏବେ ନିଜ ପରିବାର ସହ ବିଦେଶ ଗସ୍ତରେ ଯାଇଛନ୍ତି ।

ଟିଡ଼ିପି ନେତା ଏବଂ ବିଧାନ ପରିଷଦ ସଦସ୍ୟ ଅଶୋକ ବାବୁ କହିଛନ୍ତି ଯେ, ସରକାରୀ କର୍ମଚାରୀମାନେ ନାଇଡୁଙ୍କ ବ୍ୟକ୍ତିଗତ ସାମଗ୍ରୀ ଘରୁ ବାହାରକୁ ଫୋପାଡ଼ି ଦେଇଛନ୍ତି । ଆବାସକୁ ସରକାରୀ କବଜାରେ ନେବା ପୂର୍ବରୁ ଦଳକୁ ସୂଚିତ କରାଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ନଗର ପାଳିକା ମନ୍ତ୍ରୀ ବୋତ୍ସା ସତ୍ୟ ନାରାୟଣ କହିଛନ୍ତି ଯେ, ବିରୋଧୀ ନେତା ଥିବାବେଳେ ଜଗନ ମୋହନ ରେଡ୍ଡୀଙ୍କ ସହ ଯେଉଁଭଳି ବ୍ୟବହାର କରାଯାଇଥିଲା ନାଇଡୁଙ୍କ ସହ ସେହିଭଳି ବ୍ୟବହାର କରାଯିବ ।