ମଧ୍ୟ ପ୍ରଦେଶରେ ଶିବରାଜ ସରକାର ତ ଏକ ‘ଇଣ୍ଟରଭାଲ’, 'ଫିଲ୍ମ' ତ ଏବେ ବାକି ଅଛି: କମଲନାଥ

Published By : Prameya-News7 Bureau | May 27, 2020 IST

ଭୋପାଳ ୨୭।୦୫: ମଧ୍ୟ ପ୍ରଦେଶରେ ଭାରତୀୟ  ଜନତା ପାର୍ଟି(ବିଜେପି)ର ସରକାର ଗଠନ ଲାଗି ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୋଷ୍ଠୀର ୨୨ ବିଧାୟକ ଇସ୍ତଫା ଦେଇଥିଲେ। ପୂର୍ବରୁ ଦୁଇ ବିଧାନସଭା ଆସନ ଖାଲି ରହିଛି। ଅର୍ଥାତ୍ ମୋଟ୍ ୨୪ଟି ଆସନରେ ଉପ ନିର୍ବାଚନ ହେବାର ଅଛି। କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟରେ କ୍ଷମତା ହରାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବୁଧବାର କହିଛନ୍ତି ବର୍ତ୍ତମାନର ସରକାର ତ ଏକ ଇଣ୍ଟରଭାଲ୍‌ ପରି ରହିଛି, ଫିଲ୍ମ ତ ଏବେ ବାକି ଅଛି।

କମଲନାଥ ଛିନ୍ଦଓ୍ଵାଡାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହି ଜବାବ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଆଗାମୀ ସମୟରେ ହେବାକୁ ଥିବା ୨୪ ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ଅତି କମରେ ୨୨ଟି ଆସନରେ ବିଜୟ ହାସଲ କରିବ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଛିନ୍ଦଓ୍ଵାଡା ଜିଲ୍ଲାର ବିକାଶମୂଳକ କାମ ପାଇଁ ଯେଉଁ ପ୍ରକଳ୍ପକୁ ଆମ ପୂର୍ବର ସରକାର ମଞ୍ଜୁର ଦେଇଥିଲା, ସରକାର ଏହାକୁ ଯାଞ୍ଚ କରି ପାରନ୍ତି। ଏଥିରେ ଆମର କୌଣସି ଆପତ୍ତି ନାହିଁ। ରାଜ୍ୟରେ ସାଂପ୍ରତିକ କରୋନା ସ୍ଥିତିକୁ ନେଇ କମଲନାଥ କହିଛନ୍ତି, ଆମେ ସରକାରରେ ଥାଇ କରୋନା ମହାମାରୀର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ନେଇଥିଲୁ। ସେହି ସମୟରେ ବିଜେପି ନେତା ଏହାକୁ ହାଲୁକା ଭାବେ ନେଇଥିଲେ।

କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ଘଟଣାକ୍ରମ ଉପରେ କଟାକ୍ଷ କରି କମଲନାଥ କହିଛନ୍ତି, ଆଜି ମତଦାତା ଏହି ୨୨ଟି ଆସନକୁ ନେଇ ବୁଝି ପାରୁଛନ୍ତି ଯେ, ଏହି ବିଧାୟକ ସେମାନଙ୍କୁ କେଉଁଭଳି ଧୋକା ଦେଇଛନ୍ତି। କେଉଁ ଭଳି ଏହି ୨୨ ବିଧାୟକ ଲୋଭର ବଶବର୍ତ୍ତି ହୋଇ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ଜନତା ଏବେ ସବୁ ବୁଝି ପାରୁଛନ୍ତି। ସେ ଉପ ନିର୍ବାଚନ ପରେ ବିଜେପି ସରକାର ଭାଙ୍ଗିବ ବୋଲି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି, ବିଜେପି ଜିତିବା ତ ଦୂରର କଥା ସେମାନଙ୍କୁ ମୁହଁତୋଡ ଜବାବ ମିଳିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.