ରାଜ୍ୟସଭା ସଦସ୍ୟ ଭାବେ ଗୁରୁବାର ଶପଥ ନେବେ ପୂର୍ବତନ CJI ଜଷ୍ଟିସ୍ ରଞ୍ଜନ ଗୋଗୋଇ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୩: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଗୁରୁବାର ଦିନ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବେ । ଗୁରୁବାର ସକାଳ ୧୧ ଟାରେ ସେ ଶପଥ ଗ୍ରହଣ କରିବେ। ସରକାରଙ୍କ ସୁପାରିଶ କ୍ରମେ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୋମବାର ରାଜ୍ୟସଭାକୁ ମନୋନୀତ କରିଥିଲେ।

ରଞ୍ଜନ ଗୋଗୋଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଯୋଧ୍ୟା ଜମି ବିବାଦ, ରାଫେଲ ଯୁଦ୍ଧ ବିମାନ ଏବଂ ସାବରୀମାଲାରେ ମହିଳାଙ୍କ ପ୍ରବେଶ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି କରିଥିବା ବେଞ୍ଚର ଅଧ୍ୟକ୍ଷତା କରିଥିଲେ । ଗୃହ ମନ୍ତ୍ରଣାଳୟ ସୋମବାର ରାତିରେ ଏକ ବିଜ୍ଞପ୍ତି ଜାରି କରି ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯିବ ବୋଲି ଘୋଷଣା କରିଥିଲା ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉପରେ ଅନେକ ପ୍ରଶ୍ନ ଉଠୁଛି । କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ସରକାରଙ୍କୁ ରାଫେଲ ମାମଲାରେ ସଫେଇ ଦେବାକୁ କହିଛନ୍ତି। ଗୋଗୋଇଙ୍କ ମନ୍ତବ୍ୟକୁ ନେଇ ସିବଲ ଟ୍ବିଟ୍ କରି କହିଛନ୍ତି ଯେ, ‘ରଞ୍ଜନ ଗୋଗୋଇ କହିଥିଲେ ଯେ ଶପଥ ନେବା ପରେ ମୁଁ ଗଣମାଧ୍ୟମକୁ କହିବି ଯେ ମୁଁ ରାଜ୍ୟସଭାକୁ ଯିବା ପ୍ରସ୍ତାବକୁ କାହିଁକି ଗ୍ରହଣ କଲି?’

ସିବଲ ଟ୍ବିଟ୍ କରି କହିଛନ୍ତି ଯେ, ଏହା ମଧ୍ୟ କୁହନ୍ତୁ ଯେ, ତାଙ୍କ ମାମଲାରେ କାହିଁକି ନିଷ୍ପତ୍ତି ନିଆଗଲା, ନ୍ୟାୟିକ ବ୍ୟବସ୍ଥା କାହିଁକି ବନ୍ଦ ହେଲା, ନିର୍ବାଚନ ବ୍ୟାଣ୍ଡ ମାମଲା କାହିଁକି ନିଆଗଲା ନାହିଁ, ରାଫାଲ ମାମଲାରେ କାହିଁକି କ୍ଲିନ୍ ଚିଟ୍ ଦିଆଗଲା, ସିବିଆଇ ନିର୍ଦ୍ଦେଶକଙ୍କୁ କାହିଁକି ହଟାଇ ଦିଆଗଲା ।

ପୂର୍ବତନ ପ୍ରଧାନ ବିଚାରପତି ଗୋଗୋଇଙ୍କ ନେତୃତ୍ବରେ ଏକ ବେଞ୍ଚ ଅଯୋଧ୍ୟା ଏବଂ ରାଫେଲ ମାମଲା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାୟ ଦେଇଥିଲା । ଗତ ବର୍ଷ ସୁପ୍ରିମକୋର୍ଟ ମଧ୍ୟ ରାଫେଲ ଚୁକ୍ତି ସମୀକ୍ଷା କରୁଥିବା ଆବେଦନକୁ ଖାରଜ କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.