ବାଲେଶ୍ବରର ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ପରଲୋକ

Published By : Prameya-News7 Bureau | October 06, 2020 IST

ଭୋଗରାଇ ୬।୧୦: ବାଲେଶ୍ବରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ ତଥା ସୁଲେଖକ ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ପରଲୋକ ହୋଇଛି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ବର ନିଆ ଯାଉଥିବାବେଳେ ରାତି ୧୨ଟା ୪୦ ମିନିଟରେ ଭଦ୍ରକ ନିକଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜ୍ୟରେ ଜଣେ ପ୍ରବୀଣ କଂଗ୍ରେସ ନେତା ଭାବେ ସେ ପରିଚିତ ଥିଲେ । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି ଭୋଗରାଇ ଏବଂ ସମଗ୍ର ବାଲେଶ୍ବର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ସେ ୩-୪ ଦିନ ହେବ ଜ୍ବରରେ ପୀଡିତ ଥିଲେ । ଗତକାଲି ତାଙ୍କର କରୋନା ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିବ ଆସିଥିଲା । ସନ୍ଧ୍ୟାରେ ଅଚାନକ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଉଥିଲା । ତାଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ଉଣାରାଣୀ ପାତ୍ର ଏବଂ ଏକମାତ୍ର ପୁଅ ଦେବାଶିଷ ପାତ୍ର ମଧ୍ୟ ଥିଲେ ।

୧୯୪୧ ମସିହାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସୁନ୍ଦରାଡୀ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା । ସେ ମହେଶପୁର ସ୍ଥିତ ଫାର୍ମ ହାଉସରେ ରହୁଥିଲେ । କେବଳ ରାଜନେତା ନୁହେଁ ଜଣେ ସାହିତ୍ୟିକ ଭାବେ ସେ ନିଜର ସ୍ବତନ୍ତ୍ର ଛାପ ଛାଡିଥିଲେ । ସମାଜ ସେବା ଓ ରାଜନୀତିର ବ୍ୟସ୍ତତା ଭିତରେ ବି ନିରନ୍ତର ସାହିତ୍ୟ ସାଧନା ଜାରି ରଖିଥିବା କାରୁବାକୁ, ଇତିହାସର ଛାଇ, କଳିଙ୍ଗ କନ୍ୟା, ଉତ୍କଳର ନୌବାଣିଜ୍ୟ, ଦୂରଦର୍ଶନରେ ପ୍ରସାରଣ ସମ୍ରାଟ ଖାରବେଳ ତଥା ଶହେରୁ ଉର୍ଦ୍ଧ୍ବ ବହି ଲେଖି ସାରସ୍ବତ ମହଲରେ ସୁନାମ ଅର୍ଜନ କରିଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.