ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ: ଦିବ୍ରୁଗଡ ଗସ୍ତ ବାତିଲ କରି ଫେରିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ
23/11/2020 at 5:02 PM

ଦିବ୍ରୁଗଡ ୨୩/୧୧ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଅଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଦିବ୍ରୁଗଡ କାର୍ଯ୍ୟକ୍ରମ ବାତିଲ କରି ଗୌହାଟୀ ଯାଉଛନ୍ତି। ସର୍ବାନନ୍ଦ ସୋନୋୱାଲ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, ‘ମୁଁ ଦିବ୍ରୁଗଡରେ ହେବାକୁଥିବା କାର୍ଯ୍ୟକ୍ରମ ବାତିଲ କରି ତରୁଣ ଗୋଗୋଇଙ୍କୁ ଦେଖିବାକୁ ଗୌହାଟୀ ଫେରିଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ସେ ମୋ ପାଇଁ ପିତା ସମାନ। ମୁଁ ତାଙ୍କର ସୁସ୍ଥତା କାମନା କରୁଛି।’
ଗୌହାଟୀ ମେଡିକାଲ କଲେଜ ଅଧିକ୍ଷକ ଅଭିଜିତ ଶର୍ମା କହିଛନ୍ତି ଯେ ୮୪ ବର୍ଷ ବୟସ୍କ ବରିଷ୍ଠ କଂଗ୍ରେସ ନେତାଙ୍କ ଦେଖରେଖ ଡାକ୍ତରଙ୍କ ଏକ ଟିମ କରୁଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ପାଇଁ ଲୋକେ ପ୍ରାର୍ଥନା କରୁଛନ୍ତି । ତରୁଣ ଗୋଗୋଇଙ୍କ ଅଙ୍ଗ କାମ କରିବା ବନ୍ଦ କରିଦେଇଛି। ରବିବାର ଦିନ ତାଙ୍କର ୬ ଘଣ୍ଟା ଯାଏଁ ଡାଇଲେସିସ୍ ହୋଇଥିଲା। କିନ୍ତୁ ଡାଇଲେସିସ୍ ପରେ ପୁଣି ତାଙ୍କ ଅବସ୍ଥା ସାଙ୍ଘାତିକ ହୋଇଯାଇଛି। ତେବେ ପୁଣି ଡାଇଲେସିସ୍ କରିବା ଭଳି ଅବସ୍ଥା ତାଙ୍କର ନାହିଁ।
୩ଥର ଆସାମର ମୁଖ୍ୟମନ୍ତ୍ରୀ ରହି ସାରିଥିବା ୮୪ ବର୍ଷ ବୟସ୍କ ତରୁଣ ଗୋଗୋଇଙ୍କୁ ନଭେମ୍ବର ୨ ତାରିଖରେ ଜିଏମସିଏଚରେ ଭର୍ତ୍ତି କରାଯାଇଥିଲା। ଶନିବାର ଦିନରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଅଗଷ୍ଟ ୨୫ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ। ଅକ୍ଟୋବର ୨୫ ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।