ବିଜେପି ଛାଡିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରସେକର! ଟିକେଟ ନମିଳିବାରୁ ଦଳ ଉପରେ ଖପ୍ପା, ସ୍ବାଧୀନ ଭାବେ ଲଢିବେ ନିର୍ବାଚନ

Published By : Prameya-News7 Bureau | January 21, 2022 IST

ପାଣାଜୀ ୨୧/୦୧: ଗୋଆ ବିଜେପିକୁ ଲାଗିବ ଶକ୍ତ ଝଟ୍‌କା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲକ୍ଷ୍ମୀକାନ୍ତ ପାରସେକର ଦଳ ଛାଡିବା ନେଇ ଚର୍ଚ୍ଚା ଜୋରଧରିଛି । ଦିନେ ପୂର୍ବରୁ ଗୋଆ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । କିନ୍ତୁ ବଡ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରସେକରଙ୍କୁ ଟିକେଟ ଦେଇନି ଦଳ । ଟିକେଟ ଦିଆନଯିବାକୁ ନେଇ କ୍ଷୁବ୍ଧ ଥିବା ପାରସେକର ନିର୍ଦଳୀୟ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ଗୋଆ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲେ ସୁଦ୍ଧା ସେଥିରେ ଲକ୍ଷ୍ମୀକାନ୍ତ ପାରସେକରଙ୍କ ନାଁ ନଥିଲା । ଯାହାକୁ ନେଇ ସେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ଜାହିର କରିଥିଲେ । ତାଙ୍କ ସ୍ଥାନରେ ବିଜେପି ଦୟାନନ୍ଦ ସୋପଟେଙ୍କୁ ଟିକେଟ୍‌ ଦେଇଥିବାରୁ ଦଳ ଉପରେ ଖପ୍ପା ହୋଇଛନ୍ତି ପାରସେକର । ପ୍ରାର୍ଥୀ ତାଲିକା ଘୋଷଣା ହେବାର ପରେପରେ ହିଁ ସେ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ତେବେ ଆସନ୍ତା ୨/୩ ଦିନ ମଧ୍ୟରେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୧୪ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହିଁ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ଏବଂ ଫଳ ପ୍ରକାଶ ପାଇବ । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ସେଙ୍କଲିମ୍‌ ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା ହୋଇଛି । ଚଳିତ ନିର୍ବାଚନରେ ଦଳ ୬ ଜଣ ବିଧାୟକଙ୍କ ଟିକେଟ୍‌ କାଟିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗୋଆରେ ବିଜେପି ପକ୍ଷରୁ ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନବୀସ ଏବଂ ଦଳର ମହାସଚିବ ଅରୁଣ ସିଂହ ପ୍ରେସ୍‌ କନଫରେନ୍ସରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.