ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ଜଳୁଛି ଜଙ୍ଗଲ, ସଙ୍କଟରେ ବନ୍ୟଜନ୍ତୁ

Published By : Prameya-News7 Bureau | March 02, 2021 IST

ତେଲକୋଇ ୨।୩: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳ ଜଙ୍ଗଲରେ  ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ଦିନ ଦିନ ଧରି ଜଙ୍ଗଲରେ ନିଆଁ ଲାଗିବା ଫଳରେ ଏକର ଏକର ଶାଳ, ପିଆଶାଳ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି । ଦୁଇ ଦିନ ହେବ କରଦାଙ୍ଗି  ପଞ୍ଚାୟତ ଶ୍ରୀଧରପୁର ଗାଁ ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ସହ ବିରଳ ଔଷଧୀୟ ଗୁଳ୍ମ ସବୁ ଜଳିପୋଡି ନଷ୍ଟ ହୋଇଗଲାଣି । ହୁତୁ ହୁତୁ ହୋଇ  ଜଙ୍ଗଲରେ ନିଆଁ ଲାଗିବା ଫଳରେ ବନ୍ୟଜନ୍ତୁଙ୍କ ଜୀବନ ଏବେ ସଙ୍କଟରେ ପଡିଯାଇଛି । ନିଆଁ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବନ୍ୟଜନ୍ତୁ ସବୁ ଏଣେତେଣେ ଦୌଡୁଛନ୍ତି । ମାଙ୍କଡ଼ଚୁଆ ଜଙ୍ଗଲରେ ହାତୀମାନଙ୍କ ସହିତ ହରିଣ, ବାରହା, କୁଟୁରା, ସମ୍ବର, ଝିଙ୍କ ଆଦି ଜୀବଜନ୍ତୁ ବହୁସଂଖ୍ୟାରେ ରହୁଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ସେମାନଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି । ସରକାର ନୂତନ ଜଙ୍ଗଲ ସୃଷ୍ଟି ସହ ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଦିଗରେ ବନବିଭାଗ ନୀରବଦ୍ରଷ୍ଟା ସାଜିବା ଅଞ୍ଚଳ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିବା ପାଇଁ ଖୋରାକ ଯୋଗାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.