ଅଷ୍ଟ୍ରେଲିଆରେ ପୁଣି ବନାଗ୍ନୀକୁ ନେଇ ଆତଙ୍କ, ନ୍ୟୁ ସାଉଥୱେଲ୍ସ ଓ କ୍ୱିନ୍ସ ଲ୍ୟାଣ୍ଡ ପରେ ସିଡିନୀ ମୁହାଁଇଛି ନିଆଁ, ଏପର୍ଯ୍ୟନ୍ତ ୩ ମୃତ
10/11/2019 at 5:00 PM

ନ୍ୟୁ ସାଉଥୱେଲ୍ସ : ଅଷ୍ଟ୍ରେଲିଆରେ ପୁଣି ବନାଗ୍ନୀ ଆତଙ୍କ ସୃଷ୍ଟି କରିଛି। ରବିବାର ନ୍ୟୁ ସାଉଥ ୱେଲସ ଜଙ୍ଗଲରେ ନିଆଁ ଲାଗି ପରେ କ୍ୱିନ୍ସ ଲ୍ୟାଣ୍ଡ ଓ ଏବେ ସିଡନି ଆଡକୁ ମୁହାଁଇଛି। ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢଶହରୁ ଅଧିକ ଘର ଜଳି ଯାଇଥିବା ଅଧିକାରୀ କହିଛନ୍ତି।

ବନାଗ୍ନି ବ୍ୟାପୁଥିବା ନେଇ ଅଗ୍ନିସମନ ବିଭାଗ ସତର୍କତା ଜାରି କରିଛନ୍ତି। ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘରଦ୍ୱାର ଖାଲି କରି ଚାଲିଯିବାକୁ ବିଭାଗ ଲୋକଙ୍କୁ ସତର୍କ କରାଉଛନ୍ତି। ନିଆଁ ଏବେ ସିଡନୀ ଆଡକୁ ବ୍ୟାପୀବା ପରିସ୍ଥିତିକୁ ଅଧିକ ଉଦବେଗ କରିଛି। ଜଳିୟ ଅଂଶର ଅଭାବ ଓ ଶୁସ୍କ ବାୟୁ ଜଙ୍ଗଲ ନିଆଁ ଅଣାୟତ୍ତ କରିଛି । ଦେଖୁଦେଖୁ ଏକରଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଉଥିବା ଦମକଳ ବିଭାଗ ଅଧିକାରୀ କହୁଛନ୍ତି।

କେବଳ ନ୍ୟୁ ସାଉଥୱେଲ୍ସର ୭୨ଟି ସ୍ଥାନରେ ନିଆଁ ଲାଗିଛି। ଏଥିରୁ ଅଧିକାଂଶ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସେହିପରି କ୍ୱିନ୍ସ ଲ୍ୟାଣ୍ଡର ୫୧ଟି ସ୍ଥାନରେ ନିଆଁ ଲାଗିଥିବା ଦମକଳ ବିଭାଗ ସୂଚନା ଦେଇଛନ୍ତି। ଏଥିଲାଗି ୪୨ଟି ଅଞ୍ଚଳରେ ଏବେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।