ତିନି ଦିନ ହେଲା ଭୁବନେଶ୍ବରରେ ବୁଲୁଛି ବାଘ: ଧରିପାରୁନି ବନ ବିଭାଗ, ଲୋକେ ଆତଙ୍କିତ

Published By : Prameya-News7 Bureau | February 19, 2019 IST

ଭୁବନେଶ୍ବର୧୯|୨: ରବିବାର ରାତିରେ ଭୁବନେଶ୍ବର ପଳାସପଲ୍ଲୀ ଅଂଚଳରେ ଦେଖାଯାଇଥିବା କଲରାପତରିଆ ବାଘକୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ ।  ଏୟାରପୋର୍ଟ ଅଂଚଳକୁ ବାଘଟି ପଶିଆସିଥିବା ଜାଣିବା ପରେ ଏହାର ଆଖପାଖ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସକାଳେ ପ୍ରାୟ ଦେଢ଼ ଘଣ୍ଟାର କସରତ ବିଫଳ ହେବା ପରେ ପୁଣି  ସଂଧ୍ୟାରେ ମିଶନ ଆରମ୍ଭ କରିଛି ରେସକ୍ୟୁ ଟିମ୍‌ ।ରାଜଧାନୀ ବିତରେ ତିନିଦିନ ହେଲା ବାଘ ବୁଲୁଥିଲେ ମଧ୍ୟ ବନ ବିଭାଗ ଏଯାଏଁ ବାଘକୁ ଦରିନପାରିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

{"id":86856,"width":597,"height":361}

ସେପଟେ ଖଣ୍ଡଗିରି କୁମ୍ଭମେଳାରେ ‘ବାଘ ବୁଲୁଛି ରାଜଧାନୀରେ’ ଯାତ୍ରା ଆରମ୍ଭ ହେଲା ବେଳକୁ ଏପଟେ ପଳାସପଲ୍ଲୀ ଆଉ ଏୟାରପୋର୍ଟ ଅଂଚଳରେ ସତକୁ ସତ ବାଘ ବୁଲିବା,  ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ରବିବାର ରାତିରେ ଭୁବନେଶ୍ବର ପଳାସପଲ୍ଲୀ ଅଂଚଳରେ ଦେଖାଯାଇଥିବା କଳରାପତରିଆ ବାଘ ଏବେ ଏୟାରପୋର୍ଟ ଅଂଚଳକୁ ଡେଇଁଥିବା ଶୁଣିବାକୁ ମିଳିଛି । ଖୋଦ୍‌ ଏୟାରପୋର୍ଟ ଓ୍ବାଚ୍‌ ଟାଓ୍ବାର ଉପରେ ଜଗିଥିବା ସୁରକ୍ଷାକର୍ମୀ ସୋମବାର ଭୋର ୪ଟା ସମୟରେ ଏୟାରପୋର୍ଟ ଅଂଚଳରେ ବାଘଟିକୁ ଦେଖିଥିବା କହିଛନ୍ତି ।

{"id":86857,"width":595,"height":346}

ଏହାପରେ ଘଟଣାକୁ ଗୁରୁତ୍ବର ସହ ନେଇଛି ବନ ବିଭାଗ । ବାଘକୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ । ସିଟି ଡିଏଫଓ ଅଶୋକ ମିଶ୍ରଙ୍କ ନେତୃତ୍ବରେ ୪ଟି ରେଞ୍ଜ୍‌ର ଅଧିକାରୀ ଏହି ଅପରେସନରେ ସାମିଲ ହୋଇଛନ୍ତି । ଚନ୍ଦକା ଡିଏଫଓ କେଦାର କୁମାର ସ୍ବାଇଁ, ନନ୍ଦନକାନନ ଡେପ୍ୟୁଟି ଡାଇରେକ୍ଟର ଜୟନ୍ତ ଦାସ ମଧ୍ୟ ଏହି ଅପରେସନରେ ରହିଛନ୍ତି । ପୁରୁଣା ଏୟାରପୋର୍ଟ ରୋଡ଼ ଓ ଏହାର ଆଖପାଖ ଅଂଚଳରେ ଚାଲିଛି ସର୍ଚ୍ଚ ଅପରେସନ ।

{"id":86858,"width":596,"height":304}

ଏହି ମିଶନରେ ୪୦ରୁ ଅଧିକ ବନବିଭାଗ କର୍ମଚାରୀଙ୍କ ସହ ନନ୍ଦନକାନନରୁ ୮ଜଣିଆ ଟିମ୍‌ ସାମିଲ ହୋଇଛନ୍ତି ।ପୋଲିସ ଏବଂ ସିଆଇଏସଫ ମଧ୍ୟ ଏଥିରେ ସହଯୋଗ କରୁଛି ।  ମିଶନ ପାଇଁ ୨ଟି ଟିମ୍‌ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ଟିମ୍‌ରେ ୮ରୁ ୧୦ଜଣ ସଦସ୍ୟ ଅଛନ୍ତି । ଉଭୟ ଟିମ୍‌ରେ ଜଣେ ଲେଖାଏଁ ଟ୍ରାଙ୍କୁରାଇଜର ଏକ୍ସପର୍ଟ ଏବଂ ଭେଟନାରୀ ଡାକ୍ତର ଅଛନ୍ତି । ଦିନ ୧୨ଟା ବେଳ ନେଟ୍‌, ଟ୍ରାଙ୍କୁଲାଇଜର ଗନ୍‌ ସହ ଆବଶ୍ୟକୀୟ ସାମଗ୍ରୀ ଧରି ଏହି ଟିମ୍‌ ପ୍ରାୟ ଦେଢ଼ଘଣ୍ଟା କାଳ ବାଘକୁ ଖୋଜିବା ପାଇଁ କସରତ କରିଥିଲେ ମଧ୍ୟ କୌଣସି ସୂଚନା ମିଳିନଥିଲା ।

{"id":86859,"width":597,"height":386}

ପ୍ରଥମେ ସିସିଟିଭି ଫୁଟେଜ୍‌ ଆଉ ଏବେ ଏୟାରପୋର୍ଟ ସୁରକ୍ଷାକର୍ମୀଙ୍କ ସୂଚନା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିତରେ ବାଘକୁ ଭୟ ସୃଷ୍ଟି ହୋଇଛି । ସେପଟେ ବାଘଟି ଧରାପଡ଼ିନଥିବାରୁ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କହିଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.