ଅନିଶ୍ଚିତତାରେ IPL, ଭିସା କଟକଣା ଯୋଗୁ ଏପ୍ରିଲ ୧୫ ପୂର୍ବରୁ ଭାରତ ଆସିପାରିବେନି ବିଦେଶୀ ଖେଳାଳି

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ୧୨।୩:  ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ତ୍ରୟୋଦଶ ସଂସ୍କରଣକୁ ନେଇ ଅନିଶ୍ଚିତତା ଏବେବି ଟଳିନି। କରୋନା ସଂକ୍ରମଣ ଯୋଗୁ ବିଭିନ୍ନ ଦେଶକୁ ଯିବା ଆସିବା ଉପରେ ଏବେ କଟକଣା ଜାରି ରହିଛି। ସେହି ଅନୁସାରେ ଆଇପିଏଲ ଖେଳିବା ଲାଗି ଏପ୍ରିଲ ୧୫ ପୂର୍ବରୁ ବିଦେଶୀ ଖେଳାଳି ଭାରତ ଆସିପାରିବେନି ବୋଲି ଜଣାପଡିଛି। ଏଣୁ ଦେଶରେ ଆଇପିଏଲ ଆୟୋଜନରେ ଲାଗି ରହିଥିବା ଅନିଶ୍ଚିତତାରେ ଆଉ ଏକ ସମସ୍ୟା ଯୋଡି ହୋଇଯାଇଛି।

{"id":236981,"sizeSlug":"large"}

ଆଇପିଏଲର ଏହି ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏପ୍ରିଲ ୨୦ ସୁଦ୍ଧା ପ୍ରାୟ ୨୦ଟି ମ୍ୟାଚ୍ ଖେଳ ହୋଇସାରିଥିବ। ଏଥିରେ ଆଇପିଏଲ ଖେଳିବା ଲାଗି ବିଦେଶୀ ଖେଳାଳିମାନେ ବିଜନେସ୍ ଭିସାରେ ଭାରତ ଆସନ୍ତି। ତେବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଏବେ ସବୁ ଶ୍ରେଣୀର ଭିସା ଏପ୍ରିଲ ୧୫ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି। ଏଣୁ ଯଦି ଆଇପିଏଲ ଆୟୋଜନ ହୁଏ ତେବେ ଏଥିରେ ଖେଳିବା ଲାଗି ବିଦେଶୀ ଖେଳାଳି ଏଥର ଆସି ନ ପାରନ୍ତି।

{"id":236982,"sizeSlug":"large"}

କରୋନା ସଂକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ ୪ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏଥିରେ ଭାରତରେ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେବା ଯୋଗୁ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ତେବେ ଆଇପିଏଲ ନେଇ ମାର୍ଚ୍ଚ ୧୪ ତାରିଖ ଦିନ ଚୂଡାନ୍ତ ନିଷ୍ପତ୍ତି ହେବାର ଅନୁମାନ କରାଯାଉଛି। ଏହି ଦିନ ଆଇପିଏଲ  ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହେବାର ଅଛି। ଏଥିରେ ଆଇପିଏଲ ଆୟୋଜନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.