Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅତି ବାହାଦୂରି କାଳ ହେଲା: ଡାକ୍ତରଙ୍କ କଥା ନମାନି ଡାକ୍ତରଖାନାରୁ ପଳାଇ ଆସିଲେ, କରୋନାରେ ପ୍ରାଣ ହରାଇଲେ ସବ୍ ଇନ୍ସପେକ୍ଟର

7/07/2020 at 7:03 PM

କୋଲକାତା ୦୭।୦୭: କରୋନା ସଂକ୍ରମଣର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। କିଛି ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି।ସାଧାରଣ ଲୋକଟିଏ କରୋନା ବିଷୟରେ ଅନଭିଜ୍ଞ ରହିବା ହୁଏତ ଠିକ୍ ହୋଇପାରେ କିନ୍ତୁ ଜଣେ ପୋଲିସ୍ ଅଧିକାରୀ କରୋନାର ବାସ୍ତବ ସ୍ଥିତି ବିଷୟରେ ଜାଣି ବି ବେପରୁଆ ହେବାକୁ ଆଉ କଣ କୁହାଯାଇ ପାରିବ। ନିଜ ବର୍ଦି ବଳରେ ବାହାଦୂରି ଦେଖାଇବା ଜଣେ ସବ ଇନ୍ସପେକ୍ଟରକୁ ମହଙ୍ଗା ପଡିଛି। ଏମିତି ଘଟଣା ଘଟିଛି କୋଲକାତାର ହାଓଡା ଜିଲ୍ଲାରେ।

ସୂଚନା ଅନୁଯାୟୀ କରୋନା ଭୂତାଣୁ ସଂକ୍ରମଣରେ କୋଲକାତାରେ ଜଣେ ପୋଲିସକର୍ମୀଙ୍କ ପ୍ରାଣହାନୀ ଘଟିଛି। ସେ ହାଓଡା ପୋଲିସ୍ କମିଶନରେଟ୍‌ରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ମୃତକ ସବ ଇନ୍ସପେକ୍ଟରଙ୍କ ନାମ ଗୌତମ ପଟ୍ଟନାୟକ। ସେ ହାଓଡାର ଶିବପୁର ଅଞ୍ଚଳର ଚାଟାର୍ଜୀହାଟ୍ ଥାନାରେ ମୁତୟନ ଥିଲେ।

ପୋଲିସ ସୂତ୍ର ଅନୁଯାୟୀ, ପଟ୍ଟନାୟକ ଗତ ସପ୍ତାହରେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା ପରେ ହାଓଡାର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ତଥାପି ଡାକ୍ତର ଏବଂ ମେଡିକାଲ କର୍ମଚାରୀ ତାଙ୍କୁ ମେଡିକାଲରେ ରହି ଚିକିତ୍ସା ଜାରି ରଖିବାକୁ କହିଥିଲେ। କିନ୍ତୁ ପଟ୍ଟନାୟକ ଜବରଦସ୍ତି ନିଜକୁ ଡିସଚାର୍ଜ କରାଇ ଘରକୁ ଫେରି ଆସିଥିଲେ।

ଏହା ପରେ ପୁନର୍ବାର ସେ ଅସୁସ୍ଥ ହୋଇ ପଡିଥିଲେ ଏବଂ କୋଲକାତାର ମିଷ୍ଟର ବାଙ୍ଗୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତିନି ଦିନ ପୂର୍ବେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ହାଓଡା ପୋଲିସ କମିଶନରେଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କରୋନାରେ ପ୍ରାଣ ହରାଇବାରେ ପଟ୍ଟନାୟକ ହେଉଛନ୍ତି ହାଓଡା ପୋଲିସ କମିଶନରେଟ୍‌ର ପ୍ରଥମ କର୍ମଚାରୀ। ସୂତ୍ର ମୁତାବକ ଗତ ଚାରି ମାସରେ ହାଓଡା  ଜିଲ୍ଲା ପୋଲିସର ୧୬୦ ପୋଲିସକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି।

   Related Posts