ଫୋର୍ବସ୍‌ ଜାରି କଲା ସବୁଠୁ ଧନୀ ଭାରତୀୟଙ୍କ ଲିଷ୍ଟ: ପୁଣି ଶୀର୍ଷରେ ମୁକେଶ ଅମ୍ବାନୀ, ଆଉ ୯ ନୂଆ ମହାଧନୀ ସାମିଲ୍‌

Published By : Prameya-News7 Bureau | October 08, 2020 IST

ନୂଆଦିଲ୍ଲୀ ୦୮/୧୦:  ୨୦୨୦ ବର୍ଷ ପାଇଁ ୧୦୦ ସବୁଠୁ ଧନୀ ଭାରତୀୟଙ୍କ ଲିଷ୍ଟ ଜାରି କରିଛି ଫୋର୍ବସ୍ । ଏଥିରେ ବହୁ ନୂଆ ନାଁ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଟପ୍‌ ୧୦୦ ଧନୀଙ୍କ ସମ୍ପତ୍ତିର ପରିମାଣ ୨୦୧୯ ଠାରୁ ୧୪ ପ୍ରତିଶତ ଅର୍ଥାତ ୫୧୭.୫ ଆରବ ଡଲାର ବୃଦ୍ଧି ଘଟିଛି । ତେବେ ଫୋର୍ବସ୍‌ ଜାରି କରିଥିବା ସୂଚୀରେ ୧୩ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମୁକେଶ ଅମ୍ବାନୀ ।

ମୁକେଶ ଅମ୍ବାନୀ ୮୮.୭ ଆରବ ଡଲାର ସମ୍ପତ୍ତିର ମାଲିକ ବୋଲି ଜଣାପଡ଼ିଛି । ନିକଟରେ ରିଲାଏନ୍ସ ଜିଓ ଓ ରିଲାଏନ୍ସ ରିଟେଲ୍‌ରେ ବହୁ ବିଦେଶ କମ୍ପାନୀ ନିବେଶ କରିଛନ୍ତି । ସେଥିପାଇଁ ତାଙ୍କ ସମ୍ପତ୍ତିରେ ଅଭିବୃଦ୍ଧି ଘଟିଥିବା ସ୍ପଷ୍ଟ ହୋଇଛି । ମୁକେଶ ଅମ୍ବାନୀଙ୍କ ପରେ ଅଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଅଦାନୀ ରହିଛନ୍ତି । ତାଙ୍କର ସମ୍ପତ୍ତିର ମୂଲ୍ୟ ୨୫.୨ ଆରବ ଡଲାର ।

 ତୃତୀୟ ସ୍ଥାନରେ ଏଚସିଏଲ୍‌ର ମୁଖ୍ୟ ଶିବ ନାଡାର ରହିଥିବା ବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୨୦.୪ ଆରବ ଡଲାର । ଚତୁର୍ଥରେ ଡି ମାର୍ଟ ମାଲିକ ରାଧାକିଶନ ଦମାନୀ ଥିବା ବେଳେ ହିନ୍ଦୁଜା ବ୍ରଦର୍ସ ପଞ୍ଚମ ସ୍ଥାନରେ ରହିଛି । ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସାଇରସ୍ ପୁନାଓ୍ବାଲା ଷଷ୍ଠ ସ୍ଥାନରେ ରହିଛନ୍ତି । ସେହିଭଳି ପାଲୋନଜୀ ମିସ୍ତ୍ରୀ ସପ୍ତମ, ଉଦୟ କୋଟାକ ଅଷ୍ଟମ ସ୍ଥାନ ଅକ୍ତିଆର କରିଥିବା ବେଳେ ଗୋଦରେଜ୍‌ ଫ୍ୟାମିଲିକୁ ମିଳିଛି ନବମ ସ୍ଥାନ । ୧୦ମ ସ୍ଥାନରେ ଆର୍ସେଲର୍‌ ମିତ୍ତଲର ସିଇଓ ତଥା ଚେୟାରମ୍ୟାନ୍‌ ଲକ୍ଷ୍ମୀ ମିତଲ ଥିବା ବେଳେ ଫୋର୍ବସ୍‌ର ସୂଚନା ଅନୁସାରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୦.୩ ଆରବ ଡଲାର ବୋଲି ଜଣାପଡ଼ିଛି ।

ଫୋର୍ବସ୍‌ର ଶୀର୍ଷ ୧୦୦ ଭାରତୀୟ ଧନୀଙ୍କ ଲିଷ୍ଟରେ କେବଳ ୩ ଜଣ ମହିଳା ସ୍ଥାନ ପାଇଛନ୍ତି । ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ ୧୯ ତମ ସ୍ଥାନରେ ରହିଥିବା ବେଳେ ବାୟୋକାନ୍‌ର କିରଣ ମଜୁମଦାର ରହିଛନ୍ତି । ଏହାସହ ୩ ଆରବ ଡଲାର ସମ୍ପତ୍ତି ସହ ୟୁଏସ୍‌ବିର ଲୀନା ତିଓ୍ବାରୀ ୪୭ ତମ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ କରୋନା କାଳରେ ନୂତନ ବ୍ୟବସାୟୀ ମଧ୍ୟ ଫୋର୍ବସ୍‌ର ଧନୀ ଲିଷ୍ଟରେ ସାମିଲ ହୋଇଛନ୍ତି । ନୌକରି ଡଟ୍‌ କମ୍‌ର ମୂଳ ସଂସ୍ଥା ଇନ୍‌ଫୋ ଏଜ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ସଂଜୀବ ଭିକଚନ୍ଦାନୀଙ୍କ ସମେତ ମୋଟ ୯ ନୂଆ ନାଁ ଫୋର୍ବସ୍‌ ୨୦୨୦ ଭାରତୀୟ ଧନୀ ଲିଷ୍ଟରେ ସାମିଲ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.