ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦ. ଆଫ୍ରିକା ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

Published By : Prameya-News7 Bureau | May 17, 2022 IST

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଜୁନ ୯ରୁ ଜୁନ ୧୯ ମଧ୍ୟରେ ଏହି ଶୃଙ୍ଖଳା ଭାରତରେ ଆୟୋଜନ ହେବ। ଏହି ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ୧୬ ଜଣିଆ ଦଳ ଘୋଷଣା କରିଛି। ତେମ୍ବା ବାମୁଭାଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇଛି। ଦଳକୁ ଏନରିକ ନୋର୍ତ୍ତେଜଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଷ୍ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ପ୍ରଥମ ଥର ଦଳରେ ସୁଯୋଗ ମିଳିଛି। ପ୍ରାୟ ସମସ୍ତ ଅଭିଜ୍ଞ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ୧୬ ଜଣିଆ ଦଳର ଅଧିକାଂଶ ଖେଳାଳି ସଂପ୍ରତି ଆଇପିଏଲ ଖେଳୁଛନ୍ତି। ଆଇପିଏଲ ୨୦୨୨ର ଫାଇନାଲ୍ ମୁକାବିଲା ମେ ୨୯ରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଟି-୨୦ ଦଳ

ତେମ୍ବା ବାଭୁମା(ଅଧିନାୟକ), କ୍ଵିଣ୍ଟନ ଡିକକ, ରିଜା ହେଣ୍ଡରିକ୍ସ, ହେନରିକ କ୍ଲାସେନ, କେଶବ ମହାରାଜ,ଆଡନ ମାରକ୍ରମ, ଡେଭିଡ୍ ମିଲର, ଲୁଙ୍ଗି ଏନଙ୍ଗିଡି, ଏନରିକ ନୋର୍ତ୍ତଜେ, ଓ୍ଵେନ ପାର୍ଣ୍ଣେଲ, ଡ୍ଵେନ ପ୍ରିଟୋରିୟସ, କାଗିସୋ ରାବଡା, ତବରେଜ ସମ୍ସି, ଟ୍ରିଷ୍ଟନ ଷ୍ଟବ୍ସ, ରସି ଭାନ ଡର ଡସେନ, ମାର୍କୋ ଜନସେନ।

ମେ ୨୨ରେ ଏହି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ଭାରତୀୟ ଦଳର ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିପାରେ। ଆଗାମୀ ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ବିସିସିଆଇ ବରିଷ୍ଠ ଖେଳାଳି ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ଲୋକେଶ ରାହୁଲ, ଋଷଭ ପନ୍ତ, ଯଶପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିଚାର କରୁଛି।

ଦଳରେ ଆଇପିଏଲର ଯୁବ, ଅନୁଭବ ଏବଂ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସୁଯୋଗ ମିଳିବ। ତିଳକ ବର୍ମା, ଉମରାନ ମଲିକ, ଅର୍ଶଦୀପ ସିଂହ, ଋତୁରାଜ ଗାଏକଓ୍ଵାଡ, ପ୍ରସିଦ୍ଧ କୃଷ୍ଣା ଏବଂ ଅଭେଶ ଖାନଙ୍କୁ ସୁଯୋଗ ମିଳିପାରେ। ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଏବଂ ଭୁବନେଶ୍ଵର କୁମାରଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିପାରେ। ଧାଓ୍ଵନଙ୍କୁ ପୁଣି ଥରେ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇପାରେ। ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର ନେତୃତ୍ଵ ନେଇଥିଲେ ଶିଖର ଧାଓ୍ଵନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.