ବ୍ରିଟେନ ଯିବା ପୂର୍ବରୁ ଜାଣିରଖନ୍ତୁ ନୂଆ ନିୟମ, ଟିକାର ଦୁଇ ଡୋଜ୍‌ ନେଇଥିଲେ ବି ହୋଇପାରନ୍ତି ହଟହଟ୍ଟା

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯: ଭାରତୀୟ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି ବ୍ରିଟିଶ ସରକାର। ଭାରତରେ ଟିକାର ଦୁଇ ଡୋଜ୍‌ ନେଇଥିବା ଲୋକେ ବ୍ରିଟେନରେ ୧୦ ଦିନ କ୍ବାରେଣ୍ଟାଇନ୍‌ ରହିବା ବାଧ୍ୟତାମୂଳକ। ବ୍ରିଟେନ ଯିବାକୁ ଯୋଜନା ରଖିଥିବା ଲୋକଙ୍କ ପାଇଁ ଏହା ଏକ ଜରୁରୀ ସୂଚନା।  ବୋରିସ ଜନସନ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ନୂଆ ନିୟମ ଉପରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି, ‘କୋଭିସିଲ୍ଡ ୟୁକେରେ ବିକଶିତ ହୋଇଥିବା ବେଳେ ଭାରତର ସିରମ ଇନଷ୍ଟିଚ୍ୟୁଟ୍‌ ଏହାକୁ ପ୍ରସ୍ତୁତ କରିଛି। ଏପରିକି ଏଠାରୁ ଏହି ଟିକା ବ୍ରିଟେନ ମଧ୍ୟ ଯାଇଛି। ଏହା ସତ୍ବେ ବ୍ରିଟେନର ଏହି ନିଷ୍ପତ୍ତି ବିଲକୁଲ ବିଚିତ୍ର। ଏଥିରୁ ବର୍ଣ୍ଣ ବୈଷ୍ଣବର ଗନ୍ଧ ବାରିହେଉଛି।’

ୟୁକେ ସରକାରଙ୍କ ଅନୁସାରେ, ଯଦି କେହି ବ୍ୟକ୍ତି ଆଫ୍ରିକା, ଦକ୍ଷିଣ ଆମେରିକା, ୟୁଏଇ, ଭାରତ, ତୁର୍କୀ, ଜୋର୍ଡାନ, ଥାଇଲ୍ୟାଣ୍ଡ, ରୁଷ ଭଳି ଦେଶରୁ ବ୍ରିଟେନ ଆସୁଥିବେ ସେମାନେ ସେଠାରେ ଦୁଇ ଡୋଜ ଟିକା ନେଇଥିଲେ ବି ଏଠାରେ ଟିକା ନେଇନଥିବା ବିଚାର କରାଯିବ। ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ହେବ।

ଇଂଲଣ୍ଡ ଯିବା ପୂର୍ବରୁ କଣ କରିବେ ?

-ଇଂଲଣ୍ଡ ଯାତ୍ରା କରିବାର ୩ ଦିନ ପୂର୍ବରୁ କରୋନା ପରୀକ୍ଷା କରିବେ ।

- ଇଂଲଣ୍ଡ ପହଞ୍ଚିବାର ଅଷ୍ଟମ ଦିନରେ କୋଭିଡ ଟେଷ୍ଟ କରିବେ। ଏଥିପାଇଁ ନିଜ ପକେଟରୁ ହିଁ ଅର୍ଥ ଖର୍ଚ୍ଚ କରିବାକୁ ହେବ।

-ଇଂଲଣ୍ଡ ପହଞ୍ଚିବାର ୪୮ ଘଣ୍ଟା ମଧ୍ୟରେ ଯାତ୍ରୀ ଲୋକେଟର ଫର୍ମ ଭରିବାକୁ ହେବ।

ବ୍ରିଟେନ ଯାତ୍ରା ନିୟମକୁ ତିନି ଭାଗରେ ବିଭକ୍ତ କରିଛି। ଗ୍ରୀନ, ଅମ୍ବର ଏବଂ ରେଡ୍‌। ଭାରତକୁ ଅମ୍ବର ଶ୍ରେଣୀରେ ରଖାଯାଇଛି। ଯେଉଁ ସବୁ ଦେଶ ରେଡ୍‌ ଲିଷ୍ଟରେ ନାହିଁ ସେଠାକର ଯାତ୍ରୀଙ୍କ ଟିକାକରଣ ସ୍ଥିତି ଉପରେ ଯାତ୍ରା ନିୟମ ନିର୍ଭର କରିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.