ରବିବାର ରାତି ୯ଟାରେ ୯ ମିନିଟ୍: କରୋନା ବିରୋଧରେ ମହାସଂକଳ୍ପ ନେବାକୁ ୧୩୦କୋଟି ଦେଶବାସୀଙ୍କୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ
5/04/2020 at 5:53 PM

ନୂଆଦିଲ୍ଲୀ୫/୪: କରୋନା ବିରୋଧରେ ମହାସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ମହାଶକ୍ତି ଜାଗ୍ରତ କରିବାକୁ ସାରା ଦେଶକୁ ଅପିଲ୍ କରିଛନ୍ତି । ଏହି ସମୟରେ ସମସ୍ତେ ଘରର ଲାଇଟ୍ ଲିଭାଇ ବାଲକୋନି କିମ୍ବା ଦାଣ୍ଡ ଦୂଆରେ ମହମବତୀ, ଟର୍ଚ୍ଚ ବା ମୋବାଇଲ୍ ଲାଇଟ୍ ଜାଳିବାକୁ ମୋଦି ପରାମର୍ଶ ଦେଇଛନ୍ତି । ତେବେ ଏହି ସମୟରେ କେଉଁ ଜିନିଷ ଅଫ୍ ରଖିବେ ଏବଂ କେଉଁ ଜିନିଷ ଅନ୍ ରଖିବେ ସେନେଇ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି ।
କରୋନା ବିରୋଧରେ ମହାସଂକଳ୍ପ ନେବାକୁ ୧୩୦କୋଟି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ରାତି ୯ଟାରେ ୯ମିନିଟ ପାଇଁ ମହାଶକ୍ତି ଜାଗ୍ରତ ପାଇଁ ସମସ୍ତେ ଘରର ଲାଇଟ୍ ଲିଭାଇ ବାଲକୋନୀ କିମ୍ବା ଦାଣ୍ଡ ଦୂଆରେ ଠିଆ ହୋଇ ମହମବତୀ, ଦୀପ, ଟର୍ଚ୍ଚ ବା ମୋବାଇଲ ଲାଇଟ ଜଳାଇବାକୁ ମୋଦି ପରାମର୍ଶ ଦେଇଛନ୍ତି ।
ତେବେ ଏହି ସମୟରେ ଗୋଟିଏ ସ୍ଥାନରେ ଏକାଠି ହୋଇ ଏସବୁ ନକରିବାକୁ କୁହାଯାଇଛି। ସାମାଜିକ ଦୂରତା ରଖି ଏସବୁ କରିବାକୁ କହିଛନ୍ତି ମୋଦି । କରୋନାକୁ ହରାଇବା ଏହା ବିରୋଧରେ ଏକାଠି ହୋଇ ଲଢିବାକୁ ମୋଦି ଆହ୍ବାନ ଦେଇଛନ୍ତି । ମୋଦିଙ୍କ ଏହି ସଂଦେଶକୁ ବେଶ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି ଦେଶର ବିଭିନ୍ନ ପ୍ରାନ୍ତର ଅନେକ ଲୋକେ ଓ ସେଲିବ୍ରିଟି । ସେହି ଆନୁସାରେ ପ୍ରସ୍ତୁତି ବି କରିଛନ୍ତି । ଲୋକେ ଦୋକାନରୁ ମହମବତୀ ଓ ଦୀପ କିଣା କିଣି କରିଛନ୍ତି । କରୋନା ଭଳି ମହାମାରୀକୁ ଦୂରେଇବା ପାଇଁ ଏକତାର ସହ ଲଢିବାକୁ ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନର ଅନୁପାଳନ ଲାଗି ସୋସିଆଲ ମିଡିଆରେ ଜୋରଦାର ପ୍ରଚାର ଅଭିଯାନ ବି ହୋଇଛି ।
ତେବେ ଲାଇଟ୍ ଅଫ୍ ଓ ଅନ୍ କିଭଳି ହେବା ଉଟିତ୍ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି । ଏକାସଙ୍ଗରେ ସମସ୍ତ ଲାଇଟ୍ ବନ୍ଦ ହେଲେ ପାୱାର ଗ୍ରିଡ୍ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଛି । ତେଣୁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦାୟିତ୍ବରେ ଥିବା ସଚିବ ସବୁ ରାଜ୍ୟର ଶକ୍ତି ସଚିବମାନଙ୍କୁ ହାଇଆଲର୍ଟରେ ରଖିଛନ୍ତି । କଣ କରିବେ, କଣ ନ କରିବେ, ସେ ନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଦେଶବାସୀ ରାତି ୯ଟା ବେଳେ ଲାଇଟ୍ ବନ୍ଦ କରିବା ପରେ ହଠାତ୍ ବିଜୁଳି ଚାହିଦା ହ୍ରାସ ପାଇବ ଓ ଏହାର ପ୍ରଭାବ ବିଦ୍ୟୁତ ଗ୍ରିଡ୍ ଉପରେ ପଡ଼ିପାରେ। ସେହିଭଳି ହଠାତ୍ ଲାଇଟ୍ ଲଗାଇଲେ ମଧ୍ୟ ଫ୍ୟୁଜ ଉଡିବାର ଆଶଙ୍କା ରହିଛି। ତେଣୁ ଏହି ସମୟରେ ଘରର ମେନ ସୁଇଚ ବନ୍ଦ କରନ୍ତୁ ନାହିଁ । ଘରର ଫ୍ରିଜ୍, କମ୍ପ୍ୟୁଟର, ଏସି, ଟିଭି, ଫ୍ୟାନ ଆଦି ବନ୍ଦ ନକରିବାକୁ କୁହାଯାଇଛି । ସବୁ ଲାଇଟ ଏକ ସମୟରେ ଅଫ୍ ଓ ଅନ୍ ନକରି କିଛି କିଛି ସମୟ ଛାଡି ଏପରି କରିବାକୁ କୁହାଯାଇଛି ।
ତେବେ ଏହି ସମୟରେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ନ କରିବା ଲାଗି କୁହାଯାଇଛି । ଡାକ୍ତରଖାନା, ଥାନା, ସାଧାରଣ ଲୋକ ଯାତାୟତ କରୁଥିବା ବିଭିନ୍ନ ଅଫିସ, ଉତ୍ପାଦନକାରୀ ଶିଳ୍ପ ଅଞ୍ଚଳର ଲାଇଟ୍ ବନ୍ଦ ହେବ ନାହିଁ । ଏହାଦ୍ବାରା ଲୋଡ୍ ରେ ଭାରସାମ୍ୟ ରହିପାରିବ ବୋଲି ଶକ୍ତି ବିଭାଗ କହିଛି । ଗାଇଡ୍ ଲାଇନ୍ ଅନୁଯାୟୀ କରୋନା ବିରୋଧୀ ମହାସଂକଳ୍ପ ପାଳନ କଲେ କୌଣସି ଅସୁବିଧା ହେବ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।