ଦ୍ବିତୀୟ ବିଶ୍ବଯୁଦ୍ଧ ଭଳି ହୋଇନଯାଉ ପରିସ୍ଥିତି, କରୋନା କାଳରେ ବ୍ରିଟେନରେ ଖାଦ୍ୟ ସଙ୍କଟ, ସୁପରମାର୍କେଟ ଖାଲି

Published By : Prameya-News7 Bureau | July 23, 2021 IST

ଲଣ୍ଡନ ୨୩/୭: କରୋନା କାଳରେ ଖାଦ୍ୟ ସଙ୍କଟ ବୋଝ ଉପରେ ନଳିତା ବିଡ଼ା ଭଳି ଚିନ୍ତା ବଢ଼ାଇଛି। ବ୍ରିଟେନରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ ବହୁ ସଂଖ୍ୟକ କର୍ମଚାରୀ ସଂକ୍ରମିତ ହେଉଛନ୍ତି। ଏହାକୁ ନେଇ ସାଧାରଣ ସେବା ବ୍ୟାହାତ ହେଉଥିବା ବେଳେ ଏହାର ବେଶୀ ପ୍ରଭାବ ଏବେ ଖାଦ୍ୟ ଶୃଙ୍ଖଳ ଉପରେ ପଡ଼ିଛି। ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ସୁପରମାର୍କେଟରେ ଜରୁରୁୀ ଜିନିଷ ଶେଷ ହେଉଛି ।

ଡେଲି ମେଲ୍‌ ଅନଲାଇନ୍‌ ଓ୍ବେବସାଇଟ୍‌ରେ ପ୍ରକାଶିତ ଖବର ମୁତାବିକ, ଅନେକ ସ୍ଥାନର ଲୋକେ ସୁପରମାର୍କେଟରେ ଖାଲି ପଡ଼ିଥିବା ରାକ୍‌ର ଫଟୋ ପୋଷ୍ଟ କରୁଛନ୍ତି। ଏହି ଫଟୋ ସବୁରେ କେଉଁଠି କ୍ଷୀର ନାହିଁ ତ ପୁଣି କେଉଁଠି ଅନ୍ୟ ଜରୁରୀ ଖାଦ୍ୟ ସାମଗ୍ରୀ ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନଜରରେ ରଖି ବ୍ରିଟିଶ ସରକାର ଏହା ଉପରେ କାବୁ ପାଇବାକୁ ଅଣ୍ଟା ଭଡ଼ିଛନ୍ତି। ଏପରି ଫୁଡ୍‌ ସପ୍ଲାଏ ସହ ସମ୍ପର୍କିତ କର୍ମଚାରୀଙ୍କ ହୋମ୍‌ ଆଇସୋଲେସନ୍‌ ଉପରେ ସରକାର ରୋକ ଲଗାଇବାକୁ ଯୋଜନା କରୁଛନ୍ତି। ଏମିତି କର୍ମଚାରୀ ପାଖାପାଖି ୧୦ହଜାରରୁ ଅଧିକ ଅଛନ୍ତି।

{"id":484757,"width":688,"height":344,"sizeSlug":"large","linkDestination":"none"}

କିଛି ନକଲେ ପରିସ୍ଥିତି ବିଗିଡ଼ିବ
ବ୍ରିଟେନରେ ଚିକେନ କିଙ୍ଗ ଭାବେ ଜଣାଶୁଣା ରଞ୍ଜିତ ସିଂହ ବୋପାରନ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ତାଙ୍କ ମତରେ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଦରାକର ନଚେତ ପରିସ୍ଥିତି ବଗିଡ଼ିବା ନିଶ୍ଚିତ। ମହାମାରୀ ପରିସ୍ଥିତିକୁ ବହୁତ ଖରାପ କରିଛି। ଜଣାନଥିଲା ଗୋଟିଏ ସମୟରେ ଏତେ ବଡ଼ ବଡ଼ ସମସ୍ୟା ଆସିବ। ଏଭଳି ସମୟରେ କର୍ମଚାରୀମାନେ ରୋଗରେ ପଡ଼ୁଛନ୍ତି। ସେମାନେ କ୍ବାରେଣ୍ଟାଇନ୍‌ରେ ରହିବା ପରେ ଖାଦ୍ୟପେୟ ଠିକ୍‌ ଭାବେ ପହଞ୍ଚାଯାଇ ପାରୁନାହିଁ। ବିଶେଷ କରି ଚିକେନ ଏବଂ ଟର୍କି ସପ୍ଲାଏ ପ୍ରଭାବିତ ହେଉଛି ବୋଲି ବୋପାରନ କହିଛନ୍ତି ।

ଖାଦ୍ୟ ଜରୁରୀ, ହେଲେ ସୁରକ୍ଷା ବଡ଼ ଚ୍ୟାଲେଞ୍ଜ
ଦୁଗ୍ଧ ଉତ୍ପାଦ ବ୍ୟାପାର ନିର୍ଦେଶକ ଫିଲ ଲ୍ୟାଙ୍ଗସ୍ଲୋ ମଧ୍ୟ ଏନେଇ ଚିନ୍ତା ଜାହିର କରିଛନ୍ତି।  ସେ କହିଛନ୍ତି କରୋନା ଯୋଗୁ ଅନେକ ଲୋରି ଡ୍ରାଇଭର ରୋଗରେ ପଡ଼ୁଛନ୍ତି। ତେଣୁ ଅଧାରୁ ଅଧିକ ଡେଲିଭରି ହୋଇପାରୁନାହିଁ। ଏହା ପୂର୍ବରୁ ବ୍ରେକଜିଟ୍‌କୁ ନେଇ ସପ୍ଲାଏ ଚେନ୍‌ ଉପରେ ପ୍ରଭାବ ପଡ଼ିଥିଲା। ଏବେ ପୁଣି ଥରେ ମହାମାରୀ ପାଇଁ ବଡ଼ ସମସ୍ୟା ଉପୁଜିଛି। ଏହା ସହ ସେ କହିଛନ୍ତି, ଖାଦ୍ୟ ଜରୁରୀ କିନ୍ତୁ ଲୋକଙ୍କ ସୁରକ୍ଷା ମଧ୍ୟ ଏକ ବଡ଼ ଆହ୍ବାନ।

ଭୟରେ କିଣନ୍ତୁ ନାହିଁ
ସେପଟେ ପରିବେଶ ସଚିବ ଜର୍ଜ ଓଷ୍ଟିସ୍‌ କହିଛନ୍ତି ଆମେ ୫୦୦ ଗୁରୁତ୍ବପୁର୍ଣ୍ଣ ସ୍ଥାନକୁ ଚିହ୍ନଟ କରିଛୁ। ଏଥରୁ ୧୭୦ ସୁପରମାର୍କେଟ ଡିପୋ ରହିଛି, ସେଠାରେ ବ୍ରେଡ୍‌ ଏବଂ ଡାଏରୀ କମ୍ପାନୀ ରହିଛି। ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ସରକାରଙ୍କ ଯୋଜନାର ଲାଭ ଉଠାଇପାରିବେ । ଏମିତି କର୍ମଚାରୀ ପ୍ରାୟ ୧୦୦୦୦ ଅଛନ୍ତି। ଏହି ସବୁ କର୍ମଚାରୀ ଏବେ ସେଲ୍ଫ ଆଇସୋଲେଟ୍‌ ହେବାର ଆବଶ୍ୟକତା ନାହିଁ ବୋଲି ଜର୍ଜ କହିଛନ୍ତି। ଏହାରି ଭିତରେ ସୁପରମାର୍କେଟ ପକ୍ଷରୁ ଲୋକମାନଙ୍କୁ ଅପିଲ୍‌ କରାଯାଇଛି ଯେ, ସେମାନେ ଭୟରେ କ୍ରୟ କରନ୍ତୁ ନାହିଁ। ତେବେ ମାଂସ, ବଟର, ପାଣି, ମଦ ଆଦି ଷ୍ଟୋରରୁ ଗାଏବ ହେଉଥିବା ଜଣାପଡ଼ିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଚିନ୍ତା ଜାହିର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.