ସଂସଦ କ୍ୟାଣ୍ଟିନରେ ମହଙ୍ଗା ହେଲା ଭୋଜନ: ଭେଜ୍ ଥାଳି ୧୦୦ ଟଙ୍କା, ଆମିଷ ବଫେଟ୍ ୭୦୦ ଟଙ୍କା
27/01/2021 at 2:24 PM

ନୂଆଦିଲ୍ଲୀ ୨୭/୦୧ : ସଂସଦ କ୍ୟାଣ୍ଟିନରେ ମିଳୁଥିବା ଖାଇବା ବର୍ତ୍ତମାନ ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନ ପୂର୍ବରୁ ଲୋକସଭା ଅଧ୍ୟକ୍ଷ ଓମ ବିରଲା ସଂସଦ କ୍ୟାଣ୍ଟିନରେ ମିଳୁଥିବା ସବସିଡି ବନ୍ଦ କରିଦେଇଛନ୍ତି। ଏବେଠାରୁ ସଂସଦ କ୍ୟାଣ୍ଟିନରେ ମିଳୁଥିବା ସମସ୍ତ ଖାଦ୍ୟପେୟ ମହଙ୍ଗା ହୋଇଯାଇଛି। ବର୍ତ୍ତମାନ ସାକାହାରୀ ଥାଳି ୧୦୦ ଟଙ୍କାରେ ମିଳିବ।

ପୂର୍ବରୁ ସାକାହାରୀ ଥାଳି ୬୦ ଟଙ୍କାରେ ମିଳୁଥିଲା। ଆମିଷ ବଫେଟ୍ ବର୍ତ୍ତମାନ ୭୦୦ ଟଙ୍କା ହୋଇଯାଇଛି। ନୂଆ ଦର ଅନୁସାରେ ସଂସଦ କ୍ୟାଣ୍ଟିନରେ ଚା’ ପୂର୍ବ ଭଳି ୫ ଟଙ୍କାରେ, କଫି ୧୦ ଟଙ୍କାରେ ଓ ଲେମନ୍ ଟି ୧୪ ଟଙ୍କାରେ ମିଳିବ।

କ୍ୟାଣ୍ଟିନରେ ଶସ୍ତା କେବଳ ରୁଟି ହିଁ ମିଳିବ। ଗୋଟିଏ ରୁଟି ୩ଟଙ୍କାରେ ମିଳିବ। ଚିକେନ୍ ବିରିୟାନୀ ଦାମ୍ ବଢି ୧୦୦ ଟଙ୍କା ହୋଇଛି। ଚିକେନ୍ ତରକାରୀ ୭୫ ଟଙ୍କାରେ ମିଳିବ। ଚକୁଳି ୩୦ ଟଙ୍କା। ମଟନ୍ ବିରିୟାନୀ ୧୫୦ ଟଙ୍କା। ଭେଜ୍ ପକୋଡା ୫୦ ଟଙ୍କାରେ ମିଳିବ।

ସୂଚନାଯୋଗ୍ୟ ଯେ, ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ମଙ୍ଗଳବାର ଦିନ କହିଥିଲେ ଯେ ସଂସଦ କ୍ୟାଣ୍ଟିନରେ ସାଂସଦ ଓ ଅନ୍ୟମାନଙ୍କୁ ଭୋଜନରେ ମିଳୁଥିବା ସବସିଡି ବନ୍ଦ କରିଦିଆଯାଇଛି। ଯାହାଫଳରେ କ୍ୟାଣ୍ଟିନରେ ଖାଇବା ବର୍ତ୍ତମାନ ମହଙ୍ଗା ହୋଇଛି। ଓମ୍ ବିରଲା ଏ ସମ୍ବନ୍ଧରେ ଆଉ କିଛି ସୂଚନା ଦେଇନାହାନ୍ତି।

କିନ୍ତୁ ସବସିଡି ବନ୍ଦ କରିବା ପ୍ରସଙ୍ଗରେ କୁହାଯାଉଛି ଯେ ସବସିଡି ବନ୍ଦ କରିବା ଯୋଗୁଁ ଲୋକସଭା ସଚିବାଳୟକୁ ବାର୍ଷିକ ୮ କୋଟି ଟଙ୍କା ସଞ୍ଚୟ ହେବ। ଓମ୍ ବିରଲା କହିଛନ୍ତି ସଂସଦ କ୍ୟାଣ୍ଟିନ ବର୍ତ୍ତମାନ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ସଞ୍ଚାଳନ କରିବ ଯାହା ପୂର୍ବରୁ ଉତ୍ତର ରେଲୱେ ସଞ୍ଚାଳନ କରୁଥିଲା।