ରନ୍ଧା ଖାଦ୍ୟ ଥିବା ହଣ୍ଡାକୁ ଟେକି ନେଲେ ପୋଲିସ୍ ଏବଂ ତହସିଲଦାର, ବସ୍ତିରେ ବାଣ୍ଟି ଦେଲେ
14/07/2020 at 8:03 PM

ନିମାପଡା୧୪/୭: ବାହାଘରରେ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟ ହଣ୍ଡାକୁ ଟେକି ନେଲେ ପୋଲିସ୍ ଏବଂ ତହସିଲଦାର। ସେହି ଖାଦ୍ୟକୁ ବସ୍ତିରେ ବାଣ୍ଟି ଦେଲେ। ପିପିଲି ବ୍ଲକ ନିଜିଗଡ଼ କୁରୁଖି ଗ୍ରାମରେ ଏକ ବାହାଘର ଚାଲିଥିଲା। ଏହି ବିବାହ ଉତ୍ସବରେ କୋଭିଡ୍ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସ୍ଥାନୀୟ ପୋଲିସ୍ ଓ ତହସିଲଦାର ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଏହି ବାହାଘରରେ ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିବା ଦେଖି ତିଆରି ହୋଇଥିବା ରନ୍ଧା ଖାଦ୍ୟ ହଣ୍ଡାକୁ ଟେକି ନେଇଥିଲେ ପୋଲିସ୍ ଏବଂ ତହସିଲଦାର।ସେହି ଖାଦ୍ୟକୁ ପାଖ ବସ୍ତିରେ ବାଣ୍ଟି ଦେଇଥିବା ଜଣାପଡିଛି।
ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। କିଛିଦିନ ତଳେ ବ୍ରହ୍ମପୁର ଗୋପାଳସ୍ଥିତ ବାହାଘର ଉତ୍ସବରେ କିପରି ପରିସ୍ଥିତି ହୋଇଥିଲା, ସେ ସଂପର୍କରେ ଉଣାଅଧିକେ ସମସ୍ତ ଜାଣିଥିବେ। ଶେଷରେ ବର-କନ୍ୟା ଘର ଲୋକ ତଣ୍ଡ ଗଣିବା ସହ ଥାନା ହାଜତରେ ମଧ୍ୟ ପଶିଥିଲେ। ଏହା ପୂର୍ବରୁ ରାଜ୍ୟ ସରକାର ବାହାଘର ଏବଂ ଶେଷକୃତ୍ୟ ପାଇଁ ଗାଇଡ୍ ଲାଇନ୍ ଜାରି କରିଥିଲେ। ଗାଇଡ୍ ଲାଇନ୍ରେ ଉଲ୍ଲେଖ ରହିଥିଲା ଯେ, କୋଭିଡ୍ ନିୟମ ମାନି ବାହାଘର କରିବେ। ଏହାସହିତ ବାହାଘର ପାଇଁ ସ୍ଥାନୀୟ ପୋଲିସ୍ ଓ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ।