ଫୋନି ମାଡ଼ରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି ଶ୍ରୀମନ୍ଦିର ପରିସରରେ ଥିବା ମହାପ୍ରଭୁଙ୍କ କୋଇଲି ବୈକୁଣ୍ଠ

Published By : Prameya-News7 Bureau | May 10, 2019 IST

ପୁରୀ (କିଶନ ବାରାଇ ) ୧୦|୫:ଫୋନି ମାଡ଼ରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି ଶ୍ରୀମନ୍ଦିର ପରିସରରେ ଥିବା ମହାପ୍ରଭୁଙ୍କ ପବିତ୍ର ସମାଧି ପୀଠ-କୋଇଲି ବୈକୁଣ୍ଠ । କୁହାଯାଏ ଯେଉଁଠିକି କାଉ ​ କୋଇଲି ବି ଆସନ୍ତିନି , ପାତାଳୀ ଠାକୁରଙ୍କ ସେଇ ପୀଠକୁ ଏବେ ପଦା କରିଦେଇଛି ଫନି । ଏଠାରେ ଥିବା ଅନେକ ପୁରୁଣା ଓ ଦୁର୍ଲଭ ବୃକ୍ଷ ସବୁ ଭୂଇଁରେ ଲୋଟିଛନ୍ତି । ପଡ଼ିଛି କେବଳ ଗଦା ଗଦା ଡାଳପତ୍ର । ….​‌ 

{"id":110716}

ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣରେ ରହିଛି ମହାପ୍ରଭୁଙ୍କ ସମାଧିସ୍ଥଳ କୋଇଲି ବୈକୁଣ୍ଠ । ଭକ୍ତ ଏଠାକୁ ଆସନ୍ତି ପାତାଳି ଠାକୁରଙ୍କର ବିଶ୍ରାମସ୍ଥଳ ଦର୍ଶନ କରିବାକୁ । ଏଠାରେ ଥିଲା ଅନେକ ପୁରୁଣା ଓ ଦୁର୍ଲଭ ବୃକ୍ଷ । ପଞ୍ଚବଟୀ ଭାବେ ପରିଚିତ ଏହି ପବିତ୍ର ସ୍ଥଳରେ ନିମ୍ବ, ବେଲ, ବକୁଳ, ବର ଆଦି ଅନେକ ବୃକ୍ଷ  ସହ ଶିଆଳି, ମାଳତୀ, ତମାଳ, କୃଷ୍ଣ ତମାଳ ଲଟାରେ ଲୋଟି ପଡୁଥିଲା କୋଇଲି ବୈକୁଣ୍ଠ । ଶ୍ରୀମନ୍ଦିର ବେଢାର ଏହି ଶାନ୍ତ, କାନ୍ତ ଉପବନ ଯେଉଁଠିକି କାଉ କୋଇଲିଙ୍କର ବି ପ୍ରବେଶ ନଥାଏ ବୋଲି କୁହାଯାଏ, ସେଇଠି ଠାକୁର ବିଶ୍ରାମ କରନ୍ତି ବୋଲି ବିଶ୍ବାସ ରହିଛି ।

{"id":110717}

 ନବକଳେବର ବେଳେ ଶଗଡ଼ିରେ  ଦାରୁ ଆସି ଏହି କୋଇଲି ବୈକୁଣ୍ଠରେ ପହଞ୍ଚନ୍ତି । ଏଇଠି ପ୍ରତି ନବକଳେବରରେ ନିର୍ମାଣ ହୋଇଥାଏ ଅସ୍ଥାୟୀ ଦାରୁଗୃହ । ଏହିଠାରେ ହିଁ ବିଶ୍ବକର୍ମାମାନେ ଦାରୁବ୍ରହ୍ମଙ୍କର ବିଗ୍ରହ ନିର୍ମାଣ କରନ୍ତି । କୁହାଯାଏ, ୩୩କୋଟି ଦେବତାଙ୍କ ଭିତରୁ କାହାରି ସାହସ ନାହିଁ କୋଇଲି ବୈକୁଣ୍ଠ ଉପରେ ନଜର ପକାଇବାକୁ । ହେଲେ ଆଜି କୋଇଲି ବୈକୁଣ୍ଠକୁ ଦେଖିଲେ ଭକ୍ତଙ୍କ ଅନ୍ତରର କୋହ ଆପେ ଆପେ ପଦାକୁ ଚାଲି ଆସୁଛି । ବୋଲ ମାନୁନି ଆଖିର ଲୁହ।

{"id":110718}

ଗୋଟି ଗୋଟି ମାଳତି ଝରି ପଡୁଥିବା ମହାପ୍ରଭୁଙ୍କ ପାତ୍ତାଳି ସ୍ଥାନରେ ମଣିଷ ଉଚ୍ଚର  ପାଣି ଲହଡ଼ି ମାରୁଥିଲା । ଲାଗୁଥିଲା  ସତେ ଯେମିତି କିଏ କୋଇଲି ବୈକୁଣ୍ଠର ଛାତିକୁ ତାର ହିଂସ୍ରତାରେ ବିଦାରି ଦେଇଥିଲା । କଅଁଳ ଶିଆଳି, କେରା କେରା ସୁବାଷ ମାଳତି,  ମେଞ୍ଚା ମେଞ୍ଚା କୃଷ୍ଣ ତମାଳ  ଫୋନିର ପବନ ମାଡ଼ରେ କୁଆଡ଼େ ଉଭେଇ ଯାଇଥିଲା । ଛାରଖାର ହୋଇଯାଇଥିଲା  ମହାପ୍ରଭୁଙ୍କର ପାତ୍ତାଳିପୁର କୋଇଲି ବୈକୁଣ୍ଠ । ଆଗରୁ ଏମିତି କେବେ ହୋଇନଥିଲା । ପରମବ୍ରହ୍ମଙ୍କର ଗୁପ୍ତ କ୍ଷେତ୍ର କୋଇଲି ବୈକୁଣ୍ଠର ସୁରକ୍ଷା ତେବତାମାନଙ୍କ ଦ୍ବାରା ହୋଇଥାଏ । ଆଜି କିନ୍ତୁ ସ୍ଥିତି ଦେଖିଲେ ଯାହା ଅନୁଭବ ହେଉଛି ତାହା କହିବାକୁ ଅନେକଙ୍କ ପାଟି ଖୋଲୁନି ।

{"id":110719}

ଏଭଳି ଅବସ୍ଥା ଦେଖି କେହି କେହି କହୁଛନ୍ତି ପାପ କେବେ ଲୁଚି ରହେନା। ବେଳ ଦେଖି ଜଳିଉଠେ ଅନ୍ୟାୟ ନିଆଁ । ଦାରୁବ୍ରହ୍ମଙ୍କୁ ଦାରୁ ଭାବି ତାଙ୍କ ସହ କ’ଣ ନକରାଯାଇଛି । ଇଏ ହେଉଛି ସେଇ ପାପର ଫଳ । ସେଇ ପାପର ନିଆଁ । ଯିବ କୁଆଡେ । ବାତ୍ୟା ନୁହେଁ ଇଏ ହେଉଛି ମହାପ୍ରଭୁଙ୍କ କ୍ରୋଧ । କାହିଁକି ନା’ ଗଲା ଦଶନ୍ଦି ଦଶନ୍ଦି ଭତିରେ ଏମିତି କେତେ ବାତ୍ୟା ଆସିଛି ଆଉ ଯାଇଛି ।  କିନ୍ତୁ ଶ୍ରୀମନ୍ଦିରରେ ଏଭଳି ସ୍ଥିତି କେବେ ହୋଇନଥିଲା । କେବେ ବି ମହାପ୍ରଭୁଙ୍କ ପାତାଳୀ ପୀଠ କୋଇଲି ବୈକୁଣ୍ଠ ଏମିତି ଛାରଖାର ହୋଇନଥିଲା । କେହି କେହି ମୁହଁଖୋଲି କହିଲେଣି ।

{"id":110720}

ଏଇଠି, ଏଇ କୋଇଲି ବୈକୁଣ୍ଠରେ ନାନାଦି ଅନୀତି ହେଲା । ନବକଳେବର ବେଳେ କଳାଠାକୁରଙ୍କ ପାତ୍ତାଳି ନୀତି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଲା । ଏଇଠି ମୋବାଇଲରେ ଫଟୋ ଉଠାଗଲା । ଗୁପ୍ତସେବାକୁ ଚାରିଆଡ଼େ ପ୍ରଘଟ କରାଗଲା ।  ସେ ପାପ ଆମେ କରିଛେ । ଆଉ ତା’ର ଫଳ ଆମକୁ ହିଁ ଭୋଗିବାକୁ ପଡିବ ।  ଠାକୁର ଦେଖେଇଲେ, ସେଇ ସ୍ଥାନରେ ଦେଖେଇଲେ, ଆଉ ସମୟ ଦେଖି ଦେଖେଇଲେ । ଶ୍ରୀହୀନ ଶ୍ରୀକ୍ଷେତ୍ର, ନୀରବ ଜଗନ୍ନାଥ, ଉଜୁଡା କୋଇଲି ବୈକୁଣ୍ଠ ।

{"id":110721}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.